ନିରପେକ୍ଷ(ଭୁବନେଶ୍ୱର): ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୩ ର ବିଚାରପତି ଶ୍ରୀମତୀ ପୂଜା ଜୈନ, ଆସାମୀ ରକେଟ ଓରଫ ସନ୍ତୋଷ ନାୟକ ଓ ଆସାମୀ ରଶ୍ମୀ ରଞ୍ଜନ ନାୟକକୁ ନୟାପଲ୍ଲୀ ଥାନା ଅଞ୍ଚଳରେ ୨୦୨୩ ମସିହାରେ ଘଟିଯାଇଥିବା ଏକ ସୁନାଚେନ ଛିନତାଇ ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇ ଥିବ ବେଳେ ଅଭିଯୁକ୍ତ ଅଖି ଓରଫ ପ୍ରଶାନ୍ତ ଭୋଇକୁ ଏକ ଚୋରୀ ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ସୁଣାଇଛନ୍ତି ।
ଘଟଣାର ଅନ୍ତରାଳେ:ଅଭିଯୋଗକାରିଣୀ ଶ୍ରୀମତୀ ନିବେଦିତା ପ୍ରଧାନ ଜୟଦେବ ବିହାର ଅନ୍ତର୍ଗତ ଏନ-୫ ଅଞ୍ଚଳରେ ଥିବା ପ୍ଲଟ ନମ୍ବର-୧୪୯ ରେ ରୁହନ୍ତି । ଗତ ତା.୧୮.୦୫.୨୦୨୩ ରିଖ ସନ୍ଧ୍ୟାରେ ସେ ଏନ-୫ ପାର୍କରୁ ଘରକୁ ଫେରୁଥିବା ବେଳେ ପ୍ଲଟ ନମ୍ବର-୨୪୦ ନିକଟରେ ଦୁଇ ଅଭିଯୁକ୍ତ ରକେଟ ଓରଫ ସନ୍ତୋଷ ନାୟକ ଓ ରଶ୍ମୀ ରଞ୍ଜନ ନାୟକ ମୋଟରସାଇକେଲରେ ପଛ ପାଖରୁ ଆସି ସେ ପିନ୍ଧିଥିବା ଏକ ସୁନା ଚେନ୍କୁ ଜୋରଜବରଦସ୍ତ ଛିଣ୍ଡାଇ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ଏନେଇ ସେ ନୟାପଲ୍ଲୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗକାରିଣୀଙ୍କ ଏତାଲା ଆଧାରରେ ନୟାପଲ୍ଲୀ ଥାନା କେସ ନଂ-୧୯୪/୨୦୨୩, ଦଫା- ୩୯୨/୩୪ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଥାନାର ତତ୍କାଳୀନ ସବ-ଇନ୍ସପେକ୍ଟର ଶ୍ରୀ ବିଜୟ କୁମାର ବାରିକଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ସବ-ଇନ୍ସପେକ୍ଟର ଶ୍ରୀ ବାରିକ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ଉଭୟ ଅଭିଯୁକ୍ତଙ୍କୁ ସୀମିତ ସମୟ ମଧ୍ୟରେ ଅଦାଲତର କାଠଗଡାରେ ଛିଡା କରାଇବାରେ ସକ୍ଷମ ହୋଇଥିଲେ ।
ସେହିପରି ମୋବାଇଲ ଚୋରୀ ମାମଲାର ଅଭିଯୋଗକାରୀ ଶ୍ରୀ ମଳୟ କୁମାର ନାୟକ ନୟାପଲ୍ଲୀ ଥାନା ଅନ୍ତର୍ଗତ ଇସ୍କନ ମନ୍ଦିର ପଛ ପାଖରେ ରୁହନ୍ତି । ଗତ ତା.୦୭.୦୬.୨୦୨୩ ରିଖ ସନ୍ଧ୍ୟାରେ ସେ ଇସ୍କନ ମନ୍ଦିର ପରିଦର୍ଶନରେ ଯାଇଥିବା ବେଳେ ପ୍ରବଳ ଗହଳିର ସୁଯୋଗ ନେଇ ଅଭିଯୁକ୍ତ ଅଖି ଓରଫ ପ୍ରଶାନ୍ତ ଭୋଇ ମଳୟଙ୍କ ପକେଟରେ ଥିବା ଏକ ମୋବାଇଲ ଫୋନକୁ କୌଶଳ କ୍ରମେ ଚୋରୀକରି ନେଇଯାଇଥିଲେ ।
ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ସେ ନିଜ ଫୋନକୁ ପାଇନପାରି ଶେଷରେ ଥାନାରେ ମୋବାଇଲ ଚୋରୀ ଜନିତ ଏକ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗକାରୀଙ୍କ ଏତାଲା ଆଧାରରେ ନୟାପଲ୍ଲୀ ଥାନା କେସ ନଂ-୨୪୩/୨୦୨୩, ଦଫା- ୩୭୯ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଥାନାର ତତ୍କାଳୀନ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଶ୍ରୀ ଏସ୍ କେ ଗିରିଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ଏଏସଆଇ ଶ୍ରୀ ଗିରି ଏହି ମାମଲାର ସଠିକ ତଦନ୍ତ କରିବା ସହିତ ଅଭିଯୁକ୍ତ ଅଖି ଓରଫ ପ୍ରଶାନ୍ତ ଭୋଇକୁ ଖୁବ ଶୀଘ୍ର ଗିରଫ କରିବାରେ ସକ୍ଷମ ହୋଇଥିଲେ । ଉପରୋକ୍ତ ସୁନାଚେନ ଛିନତାଇ ମାମଲାର ବିଚାର କରି ମାନ୍ୟବର ଅଦାଲତ ସାକ୍ଷୀ ମାନଙ୍କ ବୟାନ ଓ ପ୍ରଯୁଜ୍ୟ ବିଭିନ୍ନ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ରକେଟ ଓରଫ ସନ୍ତୋଷ ନାୟକ ଓ ଅଭିଯୁକ୍ତ ରଶ୍ମୀ ରଞ୍ଜନ ନାୟକକୁ ୧ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହ ପ୍ରତ୍ଯେକ ୫୦୦ ଟଙ୍କା ଲେଖାଏଁ ଜୋରିମନା ଆଦେଶ ଦେଇଛନ୍ତି ।
