ନିରପେକ୍ଷ(ଭୁବନେଶ୍ୱର) : ବାଲିଅନ୍ତା ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଗୋଲେଖ ବେହେରାଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ବିଷ୍ଣୁ ଦାସ(34) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ କାଲି ତା ୧୬.୩୦୩.୨୦୨୪ ପୂର୍ବାହ୍ନ ୧୧ଟାରେ ଅଭିଯୋଗକାରୀଙ୍କର ବଡ ଭାଇ ଆହତ ଅଲେଖ ବେହେରା ଗାଧୁଆସାରି ଘରକୁ ଫେରୁଥିଲେ । ସେହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଗାଁ ମଝି ରାସ୍ତାରେ ଅଲେଖଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା କରିବା ଉଦେଶ୍ୟରେ ଗୋଟିଏ ଖଣ୍ଡାରେ ଆକ୍ରମଣ କରିଥିଲେ ।

ଅଲେଖ ନିଜକୁ ବଞ୍ଚାଇବା ପାଇଁ ରକ୍ତାକ୍ତ ଅବସ୍ଥାରେ ତାଙ୍କ ଗ୍ରାମର ଜଣକ ଘରକୁ ଭୟରେ ପସି ଯାଇଥିଲେ ଏବଂ ଗୁରୁତର ଅବସ୍ଥାରେ ବରଣ୍ଡାରେ ପଡିଯାଇଥିଲେ । ଅଭିଯୁକ୍ତ ପୁନର୍ବାର ଅଲେଖ ଙ୍କ ପଛରେ ଯାଇଥିଲେ ଏବଂ ପୁନର୍ବାର ଆକ୍ରମଣ କରିଥିଲେ । ଅଲେଖଙ୍କ ଚିତ୍କାର ଶୁଣି ଗ୍ରାମବାସୀ ସେଠାକୁ ଚାଲି ଆସିଥିଲେ । ଅଭିଯୁକ୍ତ ଜଣକ ଗ୍ରାମବାସୀଙ୍କୁ ଓ ଆହତଙ୍କ ପରିବାର ସଦସ୍ୟଙ୍କୁ ଘଟଣାସ୍ଥଳରେ ଦେଖି ତାଙ୍କ ସାମ୍ନାକୁ ଆସିଲେ ହତ୍ୟା କରିବାର ଧମକ ଦେବା ସହ କିଛି ସମୟ ପରେ ସେଠାରୁ ଚାଲି ଯାଇଥିଲେ ।
