ନିରପେକ୍ଷ(ଭୁବନେଶ୍ୱର) : ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ପ୍ରଭାତ କୁମାର ମର୍ଥାଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଶଙ୍କର ସାହୁ(40),ନାରାୟଣ ମହାନ୍ତି(49) ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୦୨୩ ମସିହା ମଇ/ଜୁନ ମାସରେ ନିମ୍ନୋକ୍ତ ଅଭିଯୁକ୍ତ ନାରାୟଣ ମହାନ୍ତି ଏବଂ ତାଙ୍କ ସହଯୋଗୀ ଶଙ୍କର ସାହୁ ଅଭିଯୋଗକାରୀଙ୍କ ଲକ୍ଷ୍ମୀସାଗର, ବ୍ରିଟ୍ କଲୋନୀସ୍ଥିତ କାର୍ଯ୍ୟାଳୟକୁ ଯାଇ ସାକ୍ଷାତ କରିବା ସହିତ କୋଲାମଣ୍ଡଲମ ଫାଇନାନ୍ସ ଅଫିସରୁ ଆସିଥିବା କହିଥିଲେ ।

ସେଠାରେ ଅଭିଯୁକ୍ତ ନାରାୟଣ ମହାନ୍ତି ନିଜକୁ କୋଲାମଣ୍ଡଲମ ଫାଇନାନ୍ସ କମ୍ପାନୀର ଶାଖାପରିଚାଳକର ପରିଚୟ ଦେବା ସହିତ କମ୍ପାନୀ ତରଫରୁ ନିଲାମ ହେବାକୁ ଥିବା ଦୁଇଟି ପରିବହନ ଯାନ (ଟ୍ରକ) କିଣିବା ଲାଗି ତାଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ଟ୍ରକ ଦୁଇଟିର ପ୍ରସ୍ତାବିତ ମୂଲ୍ୟ ୫୦,୦୦,୦୦୦ ଟଙ୍କା ବୋଲି କହିଥିଲେ । ଅଭିଯୋଗକାରୀ ଉଭୟଙ୍କର ଠିକଣା ପଚାରିବାରୁ, ଉଭୟ ଅଭିଯୁକ୍ତ ନିଜର ଠିକଣା କଟକ ବୋଲି କହିଥିଲେ । ପରେ ଉଭୟ ଅଭିଯୁକ୍ତ ଅଭିଯୋଗକାରୀଙ୍କ ମନରେ ବିଶ୍ବାସ ଜନ୍ମାଇବା ଲାଗି ଏକ ୧୪ ଚକିଆ ଟ୍ରକର ଭିଡିଓ ଅଭିଯୋଗକାରୀଙ୍କ ଜଣେ ସହାୟକଙ୍କ ମୋବାଇଲ ଫୋନକୁ ହ୍ଵାଟ୍ସଆପ ଜରିଆରେ ପଠାଇଥିଲେ ।
ଏହି ଭିଡିଓ ଦେଖିବା ପରେ ଅଭିଯୋଗକାରୀ ଜଣକ ଉଭୟ ଅଭିଯୁକ୍ତଙ୍କ ଉପରେ ବିଶ୍ବାସ କରି ତା.୧୨.୦୬.୨୦୨୩ ରିଖ ଦିନ ଚେକ ମାଧ୍ୟମରେ ୧୪ ଚକିଆ ଟ୍ରକ ବାବଦକୁ ୨୦,୫୦,୦୦୦ ଟଙ୍କା ଏବଂ ଏକ ୧୬ ଚକିଆ ଟ୍ରକ ବାବଦକୁ ୨୯,୫୦,୦୦୦ ଟଙ୍କା ଦେଇଥିଲେ । ଚୁକ୍ତି ଅନୁଯାଇ ଧାର୍ଯ୍ୟ ଟଙ୍କା ପାଇବାର ୧୦ ରୁ ୧୨ ଦିନ ମଧ୍ୟରେ ଉଭୟ ଟ୍ରକ ଅଭିଯୋଗକାରୀଙ୍କୁ ଡେଲିଭରି ଦେବା କଥା । କିନ୍ତୁ ସମସ୍ତ ଟଙ୍କା ପାଇବାର ୧୨ ଦିନ ବିତିଯାଇଥିଲେ ମଧ୍ୟ ଉଭୟ ଅଭିଯୁକ୍ତ ଅଭିଯୋଗକାରୀଙ୍କୁ ଟ୍ରକ ଡେଲିଭରି ଦେଇ ନଥିଲେ କି ଫୋନ କଲେ ମଧ୍ୟ ଫୋନ ଉଠାଇ ନଥିଲେ । ପରେ ଅଭିଯୋଗକାରୀ ଜଣକ କୋଲାମଣ୍ଡଲମ ଫାଇନାନ୍ସ କମ୍ପାନୀର ବ୍ରାଞ୍ଚ ଅଫିସକୁ ଯାଇ ପଚରାଉଚରା କରିବା ପରେ, କମ୍ପାନୀ ତରଫରୁ ସେଭଳି କୌଣସି ଟ୍ରକ ନିଲାମ ପାଇଁ ନଥିବା ଜାଣିବାକୁ ପାଇଥିଲେ ।
