ନିରପେକ୍ଷ( ଭୁବନେଶ୍ୱର) : ଭୁବନେଶ୍ବର ମହିଳା ଥାନା ପୁଲିସ ଅଭିଯୋଗକାରିଣୀ (ପୀଡିତା)ଙ୍କ ଅଭିଯୋଗ ଆଧାରରେ ଉପରୋକ୍ତ ମାମଲା ରୁଜୁ କରିବା ସହ ତଦନ୍ତ କରି ସୌମ୍ୟ ରଞ୍ଜନ ମିଶ୍ର(33) ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୀଡିତାଙ୍କର ବାପା ପୀଡିତାଙ୍କବିବାହ ପ୍ରସ୍ତାବ ପାଇଁ ମାଟ୍ରିମୋନିଆଲ ରେ ଗୋଟିଏ ପ୍ରୋଫାଇଲ୍ ଖୋଲିଥିଲେ ଯେଉଁଠାରେ ସେ ନିମ୍ନୋକ୍ତ ଅଭିଯୁକ୍ତଙ୍କର ପ୍ରୋଫାଇଲ୍ ପାଇଥିଲେ । ଏହା ପରେ ସେ ଅଭିଯୁକ୍ତଙ୍କୁ ଯୋଗାଯୋଗ କରିବାରୁ ସେ ନିଜକୁ ମୁମ୍ବାଇରେ କାର୍ଯ୍ୟ କରୁଥିବା ଜଣେ ନାଭାଲ ଅଫିସର ପରିଚୟ ଦେଇ ପୀଡିତାଙ୍କ ପ୍ରୋଫାଇଲରେ ଆଗ୍ରହ ଦେଖାଇଥିଲେ।

ଅଭିଯୁକ୍ତ ଜଣକ ପୀଡିତା ଓ ତାଙ୍କର ପରିବାର ସଦସ୍ୟଙ୍କ ସହିତ ଅତି ଚତୁରତାର ସହମିଥ୍ୟା ତଥା ମିଥ୍ୟା କଥା କହି ସମ୍ପର୍କ ବଢାଇଥିଲେ ଏବଂ ତାଙ୍କ ମୋବାଇଲରେ ପୀଡିତାଙ୍କର ତାଙ୍କ ସହିତ ଅନ୍ତରଙ୍ଗ ସମ୍ପର୍କକୁ ରେକର୍ଡ କରିଥିଲେ । ଅଭିଯୁକ୍ତ ଜଣକ ଜଣେ ଠକ ଓ ପ୍ରତାରକ ବ୍ୟକ୍ତି ଜାଣିବା ପରେ ପୀଡିତା ଏବଂ ତାଙ୍କ ପରିବାର ସଦସ୍ୟ ଉକ୍ତ ପ୍ରସ୍ତାବକୁ ଭାଙ୍ଗି ଦେଇଥିଲେ । ଏହା ପରେ ଅଭିଯୁକ୍ତ ଜଣକ ପୀଡିତାଙ୍କୁଖଣ୍ଡଗିରି ନିକଟସ୍ଥ ଏକ ହୋଟେଲକୁ ଡ଼ାକି ତାଙ୍କ ଇଚ୍ଛା ବିରୁଦ୍ଧରେ ନିର୍ଯ୍ୟାତନା ଦେଇଥିଲେ ଏବଂ ଉକ୍ତ କାର୍ଯ୍ୟର ଭିଡିଓ ରେକର୍ଡ କରି ସେଗୁଡିକୁ ଭାଇରାଲ କରିବାର ଧମକ ଦେଇ ପୀଡିତାଙ୍କୁ ବ୍ଲାକମେଲ କରିଥିଲେ ।

ପୀଡ଼ିତା ଭୟରେ ଅଭିଯୁକ୍ତଙ୍କୁ ୫୦,୦୦୦/- ଟଙ୍କା ଦେବା ପରେ ମଧ୍ୟ ଅଭିଯୁକ୍ତ ଜଣକ ପୀଡିତାଙ୍କ ବାହାଘର ଭାଙ୍ଗିବା ପାଇଁ ତାଙ୍କ ଘରକୁ ଆସିଥିଲେ ଏବଂ ପରିବାର ବର୍ଗଙ୍କୁ ଧମକ ଦେଇଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ତାଙ୍କର ଓ ପୀଡ଼ିତାଙ୍କର ଆପତ୍ତିଜନକ ଫଟୋ, ଭିଡିଓ, ଧମକପୂର୍ଣ ତଥା ଅପମାନଜନକ ବାର୍ତ୍ତାକୁ ପୀଡ଼ିତାଙ୍କ ଅନ୍ୟତ୍ର ବିବାହ ପ୍ରସ୍ତାବ ସ୍ଥିର ହୋଇଥିବା ବ୍ୟକ୍ତିଙ୍କୁ ପଠାଇଦେଇଥିଲେ ।
