ଅଯୋଧ୍ୟା (ନିରପେକ୍ଷ ): ଆସନ୍ତା ୨୨ରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ସବ ମୁଖରିତ ହେଲାଣି ଅଯୋଧ୍ୟା ନଗରୀ। ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ବିରାଜମାନ ରାମ ଲଲାଙ୍କର ସ୍ପଷ୍ଟ ଫଟୋ ମଧ୍ୟ ସମସ୍ତଙ୍କ ସାମ୍ନାକୁ ଆସିସାରିଲାଣି । ଯାହାକୁ ନେଇ କୋଟି କୋଟି ରାମଭକ୍ତ ଉତ୍କଣ୍ଠିତ ହୋଇଉଠିଛନ୍ତି। ପୂଜାପାଠ ପରେ ଆସ୍ଥାନ ଭିତରେ ବହୁମୂଲ୍ୟ ରତ୍ନ ରଖାଯିବା ପରେ ରାମଲାଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପନ କରାଯାଇଛି।

ଆସନ୍ତା ୨୨ ତାରିଖ ଦିନ ୧୨ଟା ୩୦ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ୬ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହେବେ । ଏଥିସହ ୪ ହଜାର ସନ୍ଥ ମଧ୍ୟ ଭବ୍ୟ ଉତ୍ସବରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଚାଲିଛି ଧାର୍ମିକ ରୀତିନୀତି । ଆଜି ସକାଳେ ଶର୍କରାଧିବାସ, ଫଳାଧିବାସ ଏବଂ ସଂଧ୍ୟାରେ ପୁଷ୍ପାଧିବାସ ରହିଛି । ସେହିପରି ଆସନ୍ତାକାଲି ସକାଳେ ମଧ୍ୟାଧିବାସ ଓ ସଂଧ୍ୟାରେ ଶଯ୍ୟାଧିବାସ ରହିଛି ।
