ନିରପେକ୍ଷ(ମୟୂରଭଞ୍ଜ/ରାଇରଙ୍ଗପୁର) ୨୯/୧୨ : ମୟୂରଭଞ୍ଜ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଏସପି ଏସ. ସୁଶ୍ରୀ ୫ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରାଯିବା ସହ ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ତିନିଜଣ ଗିରଫ ହୋଇଥିବା ସୂଚନା ଦେଇଥିଲେ । ଘଟଣାରୁ ପ୍ରକାଶ ଯେ, ବାରିପଦା ଟାଉନ ଥାନା ଅନ୍ତର୍ଗତ ଶୁନଗଡିଆ ଅଞ୍ଚଳର ଗଳାପୋଲ ନିକଟରେ ଏକ କେବିନ୍ରେ ବ୍ରାଉନ୍ ସୁଗାର ବିକ୍ରି ପାଇଁ ପୁଡିଆ ପ୍ରସ୍ତୁତି ଚାଲିଥିଲା ।

ଏକ ବିଶେଷ ସୁତ୍ରରୁ ଖବର ପାଇ ବାରିପଦା ଟାଉନ ଥାନା ସବ୍ଇନ୍ସପେକ୍ଟର ରାକେଶ କୁମାର ସୁତାରଙ୍କ ନେତୃତ୍ୱରେ ଅତର୍କୀତ ଚଢଉ କରାଯାଇ ୫ଲକ୍ଷ ଟଙ୍କା ମୂଲ୍ୟର ୫୩ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା । ଏଥିସହ ଏହି ଘଟଣାରେ ଶୁନଗଡିଆ ୱାର୍ଡ ନମ୍ବର ୨୦ ଅଞ୍ଚଳର କବିତା ବେହେରା(୩୯)ଙ୍କ ସହ ଅଜିତ ବେହେରା(୪୪) ଓ ଫୁକୁଲ ମୁଖୀ(୩୭)ଙ୍କୁ ଗିରଫ କରାଯାଇଥିଲା । ଏନେଇ ବାରିପଦା ଟାଉନ ଥାନାରେ ୭୯୬/୨୩ ମାମଲା ରୁଜୁ ହୋଇ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।
