ପଦ୍ମପୁର (ନିରପେକ୍ଷ): ପୂରଣ ହେବାକୁ ଯାଉଛି ପଦ୍ମପୁରବାସୀଙ୍କ ବହୁ ପ୍ରତୀକ୍ଷିତ ଦାବି। ବରଗଡ଼ ଜିଲା ଅଧୀନରେ ଥିବା ପଦ୍ମପୁର ଉପଖଣ୍ଡକୁ ଆସନ୍ତା 30 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଘୋଷଣା କରିବେ।ତେବେ ପୂରଣ ହେବାକୁ ଯାଉଛି ପଦ୍ମପୁର ବାସୀଙ୍କ ସ୍ବପ୍ନ। ଦେଇଥିବା ପ୍ରତିଶୃତିକି ପୁରା କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ନୂତନ ପଦ୍ମପୁର ଜିଲାପାଳଙ୍କ କାର୍ଯ୍ୟାଳୟ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ମଧ୍ୟ ଚିହ୍ନଟ ସରିଛି। ଆସନ୍ତା ୩୦ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନୂଆ ଯୋଜନା ବିଧିବଦ୍ଧ ଭାବେ ଘୋଷଣା କରିବେ।
ସୂଚନାଯୋଗ୍ୟ, ଗତ ୪ତାରିଖରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ୧୧ଜଣିଆ ଉଚ୍ଚସ୍ତରୀୟ କମିଟି ପଦ୍ମପୁରକୁ ଯାଇ ସମ୍ଭାବ୍ୟ ପ୍ରଶାସନିକ ମୁଖ୍ୟାଳୟ ସ୍ଥାନ ବୁଲି ଦେଖିଥିଲେ। ଏହା ପରେ କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଏହାର ଅନୁଧ୍ୟାନ କରାଯାଉଛି। ଜିଲା ଘୋଷଣା ହେଲେ ପଦ୍ମପୁର ହେବ ୩୧ତମ ଜିଲା। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ୨୦୨୨ ଡିସେମ୍ବର ୨ରେ ଯାଇ ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁର ଜିଲା ମାନ୍ୟତା ପାଇବ ବୋଲି ପ୍ରତିଶୃତି ଦେଇଥିଲେ।