ପୁରୀ (ନିରପେକ୍ଷ): ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି। ମାର୍ଗଶିର-ଶୁକ୍ଳ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଏଥି ପାଇଁ ଭକ୍ତମାନେ ଅପରାହ୍ଣ ୪ରୁ ରାତ୍ର ୮ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।
ଖବର ଅନୁଯାୟୀ, ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ। ଏହାପରେ ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ମୁଦୁଲି ଆଦି ସେବକଙ୍କର ମଧ୍ୟ ଏହି ନୀତି ସମ୍ପାଦନରେ ଭୂମିକା ରହିଛି । ତେବେ ଆସନ୍ତାକାଲି ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ ନେଇ ବନକଲାଗି ସମୟ ଧାର୍ଯ୍ୟ ହେବ ବୋଲି ସୂଚନା ରହିଛି।