ନିରପେକ୍ଷ ବ୍ୟୁରୋ: ଆଉ ଗୋଟାଏ ଦିନ ପରେ ସରିବ ଅଗଷ୍ଟ ମାସ।ନିଅଣ୍ଟିଆ ବର୍ଷା କାରଣରୁ ସବୁଠି ଚାଷ ଜମି ଶୁଖିଲା ପଡ଼ିଛି। ବର୍ଷା ଅପେକ୍ଷାରେ ଥିବା ଚାଷୀଙ୍କୁ ନିରାଶ କରିଛି ଅଗଷ୍ଟ ମାସ , ନିରାଶ କରିଛନ୍ତି ସରକାର। ଜଳବାୟୁରେ ପରିବର୍ତ୍ତନ ସାଙ୍ଗକୁ ରାଜ୍ୟ ସରକାରଙ୍କ ମିଛ ଜଳସେଚନ ପ୍ରତିଶ୍ରୁତି ଚାଷୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ମୌସୁମୀ ହେଉଛି ଦୁର୍ବଳ, ଏଥର କମିପାରେ ଧାନ ଅମଳ। ନିଅଣ୍ଟିଆ ବର୍ଷା ଧରେଇଦେଲା ରାଜ୍ୟ ସରକାରଙ୍କ ମିଛ । ଚିଠି ଓ ଫଳକରେ ଝୁଲିଛି ଜଳସେଚନ ବ୍ୟବସ୍ଥା ,ଗ୍ରାଉଣ୍ଡ ରେ କିଛି ବିଲ ଫାଟି ଆଁ କରିଛି ।

ଆଉ ଏଠି ସ୍ବପ୍ନରେ ସୀମିତ ୭ନୂଆ ବ୍ୟାରେଜ ପ୍ରତିଶ୍ରୁତି। ରାଜ୍ୟରେ କମିଛି ମୌସୁମୀ ବର୍ଷା। ଦୁର୍ବଳ ହେବାରେ ଲାଗିଛି ମୌସୁମୀ ବାୟୁ । ଆଉ ୟାରି ଭିତରେ ଚଳିତ ଅଗଷ୍ଟ ମାସରେ ବର୍ଷାର ରିପୋର୍ଟ ଜଳବାୟୁ ପରିବର୍ତ୍ତନର ଭୟଙ୍କର ଚେତାବନୀ ଦେବା ସହ ଖୋଲିଛି ରାଜ୍ୟ ସରକାରଙ୍କ ମିଛ ପ୍ରତିଶ୍ରୁତିର ପୋଲ୍। ରାଜ୍ୟରେ ଗଲା ୧୨୩ ବର୍ଷ ଭିତରେ ଚଳିତ ଅଗଷ୍ଟରେ ରେକର୍ଡ ହୋଇଛି ସବୁଠୁ କମ୍ ବର୍ଷା। ଫଳରେ ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡିଛି। ମାଟି ଶୁଖି ଟାଣ ହୋଇଗଲା ପରେ ବି କେମିତି ନିରୂପାୟ ହୋଇ ସେଥିରେ ତଳି ରୋଉଛି ଚାଷୀ।
