ଭୁବନେଶ୍ବର: ଇନଫୋସିସ୍ BPM ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଇନଫୋସିସର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ କମ୍ପାନୀ । ଏହି ଶାଖା କମ୍ପାନୀ ଆରମ୍ଭ କରି କଳା ଭିତ୍ତିଭୂମି ସ୍ଥିତି ସୁଦୃଢ କରିବ ଇନଫୋସିସ । ପ୍ରଥମ ପର୍ଯ୍ୟାୟରେ ୫ଶହ ଜଣଙ୍କୁ ନିଯୁକ୍ତି ଦିଆଯିବ । ପର୍ଯ୍ୟାୟ କ୍ରମେ ଏହା ୨ ହଜାର ନିଯୁକ୍ତି ସୁଯୋଗ ଯାଏ ବିସ୍ତାର ହେବାର ସମ୍ଭାବନା ରହିଛି । ଏହି କମ୍ପାନୀ ପୂର୍ବ ଭାରତରେ ଇନଫୋସିସର ପ୍ରଥମ ବ୍ୟବସାୟ ପ୍ରକ୍ରିୟା ପରିଚାଳନା ୟୁନିଟ୍ |
ବିଶ୍ବର ସର୍ବବୃହତ୍ ସୂଚନା ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଇନ୍ଫୋସିସର ନୂତନ ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର୍ (ବିପିଏମ୍) ଶାଖା ଆଜି ଭୁବନେଶ୍ବର ପଟିଆସ୍ଥିତ ଇନ୍ଫୋସିସ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଫାଇବ୍-ଟି (5 T) ସଚିବ ଭି.କେ ପାଣ୍ଡିଆନ, ଇଲେକଟ୍ରୋନିକ୍ସ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ସ୍ବତନ୍ତ୍ର ସଚିବମାନସ ରଞ୍ଜନ ପଣ୍ଡା ଏବଂ ଅତିରିକ୍ତ ଶାସନ ସଚିବ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଉଦ୍ଘାଟନୀ ଅଭିଭାଷଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଗତ ଦୁଇ ଦଶନ୍ଧିଧରି ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଦୃଢ଼ ଏବଂ ସ୍ଥିର ଗତିରେ ବିକାଶ କରିଚାଲିଛି । ଏହାଦ୍ବାରା ରାଜ୍ୟର ଏକପ୍ରକାର କାୟାକଳ୍ପ ଘଟିବା ସହ ନବସୃଜନ ଓ ଅଭିନବ ଉଦ୍ୟମିତା ନୀତି ଜରିଆରେ ଗଭୀର ଆତ୍ମବିଶ୍ବାସର ଏକ ନୂଆ ପରିଭାଷା ସୃଷ୍ଟି ହୋଇପାରିଛି । ଇନ୍ଫୋସିସ ଜାତୀୟ ସ୍ତରରେ ବିଶେଷକରି ଓଡ଼ିଶାରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଛି ।