ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ହେଲେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଅପେକ୍ଷାକୃତ ଅଧିକ ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ମେଘୁଆ ପାଗ ସାଙ୍ଗକୁ ହାଲୁକା ବର୍ଷା ବି ହେଉଛି । ଲଘୁଚାପ ବର୍ତ୍ତମାନ ଘନୀଭୂତ ହୋଇ ସୁଦୃଶ୍ୟଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଲାଣି । ଏଣୁ ଆଗକୁ ଏହା ଅଧିକ ଘନିଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଧୀରେ ଧୀରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଉତ୍ତର-ଆନ୍ଧ୍ରପ୍ରଦେଶ ଦକ୍ଷିଣ ଓଡ଼ିଶା ମଧ୍ୟ ଦେଇ ଅତିକ୍ରମ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାଯୋଗୁଁ ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ସହ କଳାହାଣ୍ଡି ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରିଛି । ସେହିପରି ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ପୁରୀ ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।