ନିରପେକ୍ଷ ବ୍ୟୁରୋ :ସତ୍ୟ ବଚନ କହିଲେ ଅକାଳରେ ଆମ୍ର ବୃକ୍ଷ ଜନ୍ମ ନେବ, ବିକଶିତ ହେବ ଏବଂ ତହିଁରେ ଫଳ ହୋଇ ପକ୍ଵ ହେବ,” ଏହି ସମ୍ବାଦ ପ୍ରଚାରିତ ହେବାମାତ୍ରେ ନିକଟସ୍ଥ ମୁନିମାନେ ସେମାନଙ୍କର ଶିଷ୍ୟମାନଙ୍କୁ ଘେନି ଆସି ପହଞ୍ଚିଲେ Ι ସମସ୍ତଙ୍କ ମନରେ ସ୍ୱାଭାବିକ କୌତୁହଳ !
ଯୁଧିଷ୍ଠିର କହିଲେ, “ବାସୁଦେବ,” ସର୍ବଦା ସତ୍ୟ କହିବା ମୋର ପ୍ରକୃତି Ι ସତ୍ୟରକ୍ଷା କରିବାକୁ ଯାଇ ମୁଁ ନିଜେ ଅପମାନିତ ହୋଇଛି Ι ଭାଇମାନଙ୍କୁ ଅକାରଣ କଷ୍ଟ ଦେଇଛି Ι ତଥାପି କେବେ ମିଥ୍ୟା କହିନାହିଁ Ι ସତ୍ୟପଥରୁ ଓହରିନାହିଁ Ι ରାଗ ଦ୍ୱେଷ, ହିଂସା, ଇର୍ଷା ମୋତେ କବଳିତ କରି ପାରନ୍ତି ନାହିଁ Ι ଧୃତରାଷ୍ଟ୍ରଙ୍କୁ ମୁଁ ସର୍ବଦା ପିତାର ସମ୍ମାନ ଦେଇଥାଏଁ Ι

“ମାତା କୁନ୍ତୀ ଦେବୀ ପିତା ଧରମ ଦେବତା, ହେ କୃଷ୍ଣ ତୁମ୍ଭଙ୍କୁ ମୁହିଁ ମାନଇ ସର୍ବଥା Ι
ନିଜରାଜ୍ୟର ନିମନ୍ତେ କରିବି ମୁଁ ଦ୍ଵନ୍ଦ, ଏ ସତ୍ୟବଚନ ତୋତେ କହିଲି ଗୋବିନ୍ଦ !”
ଯୁଦ୍ଧିଷ୍ଠି କହିଲେ ଯହୁଁ ଏ ସତ୍ୟ ବଚନ, ଟାକୁଆ ଫାଟିଣ ଗଜା ହୋଇଲା ତକ୍ଷଣ Ι
ମନ୍ଦାର ପତ୍ର ପରାୟେ ତା ପତ୍ର ବିକଶି, ଦେଖିଣ ଆଶ୍ଚର୍ଯ୍ୟ ହେଲେ ତହିଁ ସର୍ବ ଋଷି Ι
ଦ୍ଵିତୀୟ ପାଳି ଥିଲା ଭୀମସେନଙ୍କର Ι ଶ୍ରୀକୃଷ୍ଣ ବୃକୋଦରଙ୍କର ପ୍ରକୃତି ଜାଣିଥିଲେ Ι ସେ ସତର୍କ କରାଇଦେଲେ, "ମାରୁତି, ସତ୍ୟ ଲୁଚାଇଲେ ମଧ୍ୟ ତାହା ମିଥ୍ୟା ବୋଲି ପରିଗଣିତ ହେବ ଏବଂ ଏହି ନବ ଅଙ୍କୁରିତ ପତ୍ର ଦୁଇଟି ଶୁଖି ଝଡି ପଡିବ Ι” ଭୀମ କହିଲେ, "ଆପଣ ଅଯଥା ଆଶଙ୍କା କରୁଛନ୍ତି ଶ୍ରୀପତି, ମୋର ଲୁଚାଇବାର କିଛି ନାହିଁ Ι ଭୋଜନ, ଶୃଙ୍ଗାର ଏବଂ ରଣରେ ମୋର ପ୍ରବଳ ଆଗ୍ରହ ଏବଂ ସେଥିରେ ମୁଁ କେବେ ମଧ୍ୟ ତୃପ୍ତ ହୁଏନାହିଁ Ι ଧୃତରାଷ୍ଟ୍ରଙ୍କର ଶତପୁତ୍ର ନିଧନ କରିବା ପାଇଁ ମୁଁ ପ୍ରତିଜ୍ଞା କରିଛି ଏବଂ ତାହା ମୁଁ ଅବଶ୍ୟ ପାଳନ କରିବି Ι ଯଦିଓ ଆପଣ ବ୍ରହ୍ମାଣ୍ଡର ସ୍ୱାମୀ, ମୁଁ ଆପଣଙ୍କ ଅପେକ୍ଷା ମୋର ଜ୍ୟେଷ୍ଠଭ୍ରାତାଙ୍କୁ ଅଧିକ ସମ୍ମାନ ଦିଏଁ Ι ତାଙ୍କର ,ମୋ ନାମର କିମ୍ବା ମୋର କାଳବର ଗଦାର ଯିଏ ଅସମ୍ମାନ କରିବ, ମୁଁ ତାକୁ କଦାପି କ୍ଷମା ଦେବି ନାହିଁ Ι"

ଭୀମସେନଙ୍କର ସ୍ଵୀକାରୋକ୍ତି ପରେ ବୃକ୍ଷଟି ବଢି ଡାଳ ପତ୍ର ମେଳିଲା Ι ତତ୍ପରେ ଅର୍ଜୁନ କହିବାକୁ ଆରମ୍ଭ କଲେ,” ହେ ମାଧବ, ଆପଣଙ୍କଠାରେ ମୋର ଅଗାଧ ଭକ୍ତି Ι ମୁଁ ଗାଣ୍ଡୀବଧନୁ, ପାଶୁପତ ଶର ଏବଂ ଶ୍ରୀକୃଷ୍ଣଙ୍କ ନିନ୍ଦା କରୁଥିବା ବ୍ୟକ୍ତିର ପ୍ରାଣନାଶ କରିଦେବି Ι ମୁଁ ପରଧନ କିମ୍ବା ପରନାରୀକୁ ସ୍ପର୍ଶ କରେଁ ନାହିଁ Ι ଶତ ଅପରାଧ ସତ୍ତ୍ୱେ ଯଦି ଶତ୍ରୁ ଶରଣ ପଶିଲା, ମୁଁ ତାକୁ କ୍ଷମା ଦେଇଥାଏଁ Ι ବିରଥୀ ଏବଂ ନିଃଶସ୍ତ୍ର ଯୋଦ୍ଧା ଉପରେ ମୁଁ ଆକ୍ରମଣ କରେଁ ନାହିଁ Ι”ଅର୍ଜୁନ ଏତିକି କହିସାରିଲା ବେଳକୁ ବୃକ୍ଷ ବଢି ତା ଦେହରେ ବଉଳ ଧରିଲା Ι
ନକୁଳ କହିଲେ,
“ଚନ୍ଦନ ଯେ ଚତୁଃସମ ଅଗୁରୁ କସ୍ତୁରୀ, ସର୍ବଦା ଲେପନ ଚାହେଁ ଶରୀର ମୋହରି Ι
ଆହାରେ ବିହାରେ ବେଶୀ ନ ଥାଏ ମୋ ଇଚ୍ଛା, ସୁଖଭୋଗ ସମ୍ପଦକୁ ସଦା ମୋର ବାଞ୍ଛା Ι”
ଏଥର ଆମ୍ବ କଷି ଧରିଲା Ι
ସହଦେବ କହିଲେ, “ମୋର ଦକ୍ଷିଣ ହସ୍ତରେ ଗୁଣନିଧି ଥିବାରୁ ମୁଁ ଭୂତ ଭବିଷ୍ୟତ ଆଦି କହିପାରେଁ Ι କିନ୍ତୁ ମୋତେ ନ ପଚାରିବା ଯାଏଁ ମୁଁ କିଛି ନିଜେ ନିଜେ ପ୍ରକାଶ କରେଁ ନାହିଁ Ι”

ଆମ୍ବଟି ପୁଷ୍ଟ ହୋଇଗଲା Ι
ଏଥର କୃଷ୍ଣାଙ୍କ ପାଳି Ι ଶ୍ରୀକୃଷ୍ଣ କହିଲେ,”ସଖୀ, ମୁଁ ଜାଣେ, ସ୍ତ୍ରୀମାନଙ୍କ ଅନ୍ତର ଅତ୍ୟନ୍ତ ଗଭୀର Ι ସହଜରେ ସେମାନେ ସତ୍ୟ ପ୍ରକାଶ କରନ୍ତି ନାହିଁ Ι ସାମାଜିକ ମର୍ଯ୍ୟାଦା ଲଙ୍ଘନର ଭୟ ହେତୁ ହୃଦୟର ଅଭ୍ୟନ୍ତରରେ ଲୁକ୍କାୟିତ ଅଭିବ୍ୟକ୍ତିକୁ ହୃଦୟରେ ହିଁ ସମାଧି ଦେଇ ଦିଅନ୍ତି Ι ବାହାରକୁ ବାହାରିବାକୁ ଦିଅନ୍ତିନାହିଁ Ι କିନ୍ତୁ ଏଠାରେ ତୁମକୁ ସତ୍ୟ କହିବାକୁ ପଡିବ Ι ଉନ୍ମୋଚନ କରିବାକୁ ହେବ ତୁମ ଅନ୍ତରର ଅବରୁଦ୍ଧ ଗୁପ୍ତ ପ୍ରକୋଷ୍ଠର ମୁଦ୍ରିତ କପାଟ Ι”

ପାଞ୍ଚାଳୀ ହସିଲେ Ι କହିଲେ,” ଯୁଗ ଯୁଗ ଧରି ନାରୀ ଚରିତ୍ରକୁ ଲୋକେ ସନ୍ଦେହର ପରିଧି ମଧ୍ୟରେ ରଖି ଆସିଛନ୍ତି Ι କିଏ କହିଛି,ଏହା ଏକ ଅନ୍ଧାରି ମୂଲକ Ι କିଏ କହିଛି, ଏହା ଏକ ଜୁଆରିଆ ନଈ Ι ସମସ୍ତେ ଭାବନ୍ତି, “ନିଜର ସ୍ୱାମୀ ଯେତେ ସୁନ୍ଦର ସୁଠାମ, ଶକ୍ତିମାନ ହୋଇଥିଲେ ମଧ୍ୟ ସ୍ତ୍ରୀ ଅନ୍ୟ କେଉଁ ସୁନ୍ଦର ପୁରୁଷ ଦେଖିଲେ, ତା ଆଡକୁ ଆକର୍ଷିତ ହୋଇଯାଏ Ι କିନ୍ତୁ ଆପଣ ଜାଣନ୍ତି, ଆପଣଙ୍କର ସଖୀ ଏ ସବୁର ଉର୍ଦ୍ଧ୍ଵରେ Ι ପାଞ୍ଚ ସ୍ୱାମୀଙ୍କୁ ପାଞ୍ଚାଳୀ ସମାନ ଭାବରେ ପ୍ରେମ କରେ Ι ଏହି ପ୍ରେମ ମଧ୍ୟରେ ଧର୍ମରାଜଙ୍କ ପ୍ରତି ଭକ୍ତି, ଭୀମଙ୍କ ପ୍ରତି ଭୀତି, ପାର୍ଥଙ୍କ ପ୍ରତି ପ୍ରୀତି ଏବଂ ନକୁଳ ଓ ସହଦେଵଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧାର ପ୍ରାବଲ୍ୟ ଅଧିକ ଥାଏ Ι” ଦ୍ରୌପଦୀ କହିବାକୁ ଲାଗିଲେ,” ଆପଣ ମୋ ଠାରୁ ନାରୀର କୋମଳତା ଆଶା କରିବେ ନାହିଁ କେଶବ, ସେ ସବୁ ମୁଁ କୁରୁସଭାରେ ଛାଡି ଆସିଛି Ι ଦୁର୍ଯ୍ୟୋଧନର ଜାନୁଭଙ୍ଗ ପାଇଁ ମୁଁ ଅପେକ୍ଷା କରିଛି Ι ଦୁଃଶାସନ ରକ୍ତରେ ସ୍ନାନ କରିବା ଯାଏଁ ମୁକୁଳା ରଖିଛି ମୋର ଏ ପ୍ରଲମ୍ବିତ ଉନ୍ମୁକ୍ତ କବରୀ Ι” କୃଷ୍ଣା ନୀରବ ହେଲେ Ι
ତଥାପି ଆମ୍ର ପକ୍ଵ ହେଲାନାହିଁ Ι ଦୀର୍ଘ ନିଃଶ୍ୱାସ ନେଲେ ପାଞ୍ଚାଳୀ Ι କହିଲେ,” ହଁ, ଏକ ସମୟରେ କର୍ଣ୍ଣଙ୍କ ପାଇଁ ମୋ ହୃଦୟରେ କିଛି ଅସ୍ପଷ୍ଟ ଅନୁଭବ ସ୍ଥାନ ନେଇଥିଲା, ଯେତେବେଳେ ମୁଁ ତାଙ୍କୁ ସୂତପୁତ୍ର ବୋଲି ଲାଖବିନ୍ଧାରୁ ନିବୃତ୍ତ କରିଥିଲି Ι ତାହା ଏକ ସାମୟିକ ଦୁର୍ବଳତା ଥିଲା Ι ସେଥିରେ ଆସକ୍ତି ନ ଥିଲା, ଅନୁରକ୍ତି ନ ଥିଲା Ι ଥିଲା ମାତ୍ର ଅନୁକମ୍ପା Ι ଏକ ଅସହାୟ ପୌରୁଷର ନିଷ୍ଫଳ ଆକ୍ରୋଶ ଦର୍ଶନରେ ସ୍ଵତଃସ୍ଫୂର୍ତ୍ତ କରୁଣାର ଅଭିବ୍ୟକ୍ତି Ι”
ଚୂତ ଫଳ ପକ୍ଵ ହୋଇ ସୁବାସ ବିତରଣ କଲା Ι ସମସ୍ତେ ଆଶ୍ଚର୍ଯ୍ୟ ହେଲେ Ι ପୁଷ୍ଟ ପକ୍ୱ ଚୂତଫଳକୁ ବୃନ୍ତଚ୍ୟୁତ କରି ଅଚ୍ୟୁତ ଯୁଧିଷ୍ଠିରଙ୍କ ହସ୍ତରେ ଦେଲେ Ι ଯୁଧିଷ୍ଠିର ସନ୍ୟାସୀଙ୍କ ହସ୍ତରେ ତାହା ଅର୍ପଣ କଲେ Ι ସେହି ଆମ୍ର ଫଳ ନେଇ ସନ୍ନ୍ୟାସୀ ପାଣ୍ଡବମାନଙ୍କୁ ଆଶୀର୍ବାଦ କଲେ ଏବଂ ପ୍ରସ୍ଥାନୋଦ୍ୟତ ହେଲେ Ι ଯୁଧିଷ୍ଠିର କହିଲେ, “ଆପଣ ସେହି ଫଳ ଭକ୍ଷଣ କରିବେ ନାହିଁ ?” ଗୌରମୋକ୍ଷ କହିଲା,” ମୁ ଏକାନ୍ତରେ ଭୋଜନ କରେଁ Ι କେଉଁ ଏକ ନିର୍ଜନ ସ୍ଥାନରେ ଜଳାଶୟରେ ସ୍ନାନ କରି ମୁଁ ଏହାକୁ ଭକ୍ଷଣ କରିବି Ι ତୁମ୍ଭମାନଙ୍କର ମଙ୍ଗଳ ହେଉ Ι ମୋତେ ଏବେ ବିଦାୟ ଦିଅ Ι” ସନ୍ନ୍ୟାସୀ ପ୍ରସ୍ଥାନ କଲେ Ι

କିନ୍ତୁ ଶ୍ରୀକୃଷ୍ଣଙ୍କ ମନରେ ସନ୍ଦେହର ଉଦ୍ରେକ ହେଲା Ι ଏଭଳି ଅସାଧାରଣ ଫଳକୁ ତତ୍କ୍ଷଣାତ୍ ଭକ୍ଷଣ କରିବା କଥା Ι ଫଳଟିକୁ ବସ୍ତ୍ରାବୃତ କରି ପ୍ରସ୍ଥାନ କରିବାର ଉଦ୍ଦେଶ୍ୟ କଣ ହୋଇପାରେ ? ସେ ସହଦେଵଙ୍କ ମୁଖକୁ ପ୍ରଶ୍ନିଳ ଦୃଷ୍ଟିରେ ଅବଲୋକନ କଲେ Ι “କହରେ କନିଷ୍ଠ, ଏହାର ରହସ୍ୟ କଣ ? କିଏ ଏ ସନ୍ନ୍ୟାସୀ ? କଣ ତାର ଉଦ୍ଦେଶ୍ୟ ?” ସହଦେବ ସନ୍ନ୍ୟାସୀର ଆମୂଳଚୂଳ ବିବରଣୀ ଉପସ୍ଥାପନା କଲେ Ι ବାସୁଦେବ ଧର୍ମରାଜଙ୍କୁ ଭୀମଙ୍କୁ ପଠାଇ ସେହି ସନ୍ନ୍ୟାସୀଠାରୁ ଫଳଟି ଫେରାଇ ଆଣିବା ପାଇଁ ଅନୁରୋଧ କଲେ Ι ସେ କହିଲେ,”ଗୋଟାଏ ଛଦ୍ମବେଶୀ ଗୁପ୍ତଚର ହସ୍ତରେ ଏଭଳି ଅମୂଲ୍ୟ ଫଳ ପଡିବା ଉଚିତ ନୁହେଁ Ι ତା ବ୍ୟତୀତ ବିରାଟ ରାଜ୍ୟର ସୀମା ନିକଟରେ ଆପଣମାନଙ୍କର ଅବସ୍ଥିତି ସମ୍ପର୍କରେ ସିଏ ଏବେ ଦୁର୍ଯ୍ୟୋଧନ ଆଦିଙ୍କୁ ସମ୍ବାଦ ପରିବେଷଣ କରିବ Ι ତା ହସ୍ତରେ ଆମ୍ର ଦେଖିଲେ, ସେମାନେ ତା କଥାକୁ ବିଶ୍ଵାସ କରିବେ Ι” କିନ୍ତୁ ଯୁଧିଷ୍ଠିର କହିଲେ,” ଥରେ କୌଣସି ପଦାର୍ଥ ଦାନ କଲା ପରେ ଆଉ ତାକୁ ଫେରାଇ ଆଣିବା ମୋର ନୀତିବିରୁଦ୍ଧ Ι ମୋତେ କ୍ଷମା କର ବାସୁଦେବ !” ଶ୍ରୀକୃଷ୍ଣ ‘ଆପଣଙ୍କ ଇଚ୍ଛା’ କହି ଦୀର୍ଘ ନିଃଶ୍ୱାସ ପକାଇଲେ Ι କହିଲେ,” ଦ୍ଵାରକା ଯିବାପାଇଁ ମୋତେ ଏବେ ବିଦାୟ ଦିଅନ୍ତୁ Ι” ସମସ୍ତଙ୍କ ଠାରୁ ବିଦାୟ ନେଇ କେଶବ ଗରୁଡ ପୃଷ୍ଠରେ ଗୌରମୋକ୍ଷର ଅନୁସରଣ କଲେ Ι କିଛି ଦୂରରେ ସେହି କପଟ ସନ୍ୟାସୀ ଗୋଟିଏ ପୁଷ୍କରିଣୀ କୂଳରେ ନିତ୍ୟକର୍ମ କରିବା ପାଇଁ ଅଟକିଥାଏ Ι କୃଷ୍ଣ ମଧ୍ୟ ଏକ ବ୍ରାହ୍ମଣ ବେଶରେ ତା ନିକଟରେ ଉପସ୍ଥିତ ହେଲେ Ι ଉଭୟଙ୍କ ମଧ୍ୟରେ ଔପଚାରିକ ବାକ୍ ବିନିମୟ ହେଲା Ι ପରିଚୟର ଆଦାନ ପ୍ରଦାନ ହେଲା Ι ସିଏ ଗୌରମୋକ୍ଷ ପଣ୍ଡା, ଇଏ ବନମାଳୀ ପଣ୍ଡା ! ଶୀଘ୍ର ଉଭୟ ପଣ୍ଡାଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠିଲା Ι ଏକ ସମୟରେ ବସ୍ତ୍ର ବଦଳାଇବା ସମୟରେ ଆମ୍ର ଫଳଟି ବନମାଳୀ ପଣ୍ଡାଙ୍କର ଦୃଷ୍ଟିଗୋଚର ହେଲା Ι ସେ ଚକିତ ହୋଇ ପଚାରିଲେ,”ପଣ୍ଡାଏ, ସେଇଟା କଣ ? ଆମ୍ର ଭଳି ଜଣାପଡୁଛି ! ଭାଦ୍ରବ ମାସରେ ପକ୍ଵ ଆମ୍ର ?” ଗୌରମୋକ୍ଷ କହିଲା,” ଇଏ ଏକ ଅଦ୍ଭୁତ ସୃଷ୍ଟି Ι ପାଣ୍ଡବମାନେ ସତ୍ୟ କହି ଏହିଁ ଫଳଟିକୁ ଉତ୍ପନ୍ନ କରିଛନ୍ତି Ι” ବନମାଳୀ କହିଲେ,”ଅସମ୍ଭବ ! ଇଏ ନିଶ୍ଚୟ କିଛି ମାୟା ! ଦେଖିବା, ମୁଁ କିଛି ସତ୍ୟ ବଚନ ପ୍ରକାଶ କରେଁ Ι କେମିତି ଆମ୍ବ ଫଳିବ ଦେଖିବା Ι ଆଉ ଗୋଟିଏ ଫଳିଲେ ଅବଶ୍ୟ ମୁଁ ନେଇ ମୋ ଗୃହିଣୀକୁ ଦେବି Ι ସିଏ ବାଟ ଚାହିଁ ବସିଥିବ ନା !! ଅକାଳରେ ପକ୍ଵ ଆମ୍ର ଦେଖିଲେ ବହୁତ ଖୁସି ହେବ Ι ସେ କହିବାକୁ ଆରମ୍ଭ କଲେ,
