ନିରପେକ୍ଷ(ବ୍ୟୁରୋ) : ସାଧାରଣ ନିର୍ବାଚନ ପାଇଁ ଏବେ ସରଗରମ ରାଜନୀତି । ବିଭିନ୍ନ ଆଞ୍ଚଳିକ ଦଳଠାରୁ ଆରମ୍ଭ କରି ଜାତୀୟ ଦଳ ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ କଲେଣି ବ୍ଲୁ ପ୍ରିଣ୍ଟ୍ । ନିର୍ବାଚନରେ ବାଜିମାତ୍ କରିବାକୁ ତୟାର ହେଲେଣି ସବୁ ଦଳ । ଏପରିକ୍ଷେତ୍ରରେ ସାମ୍ନାକୁ ଆସିଛି ଏଡିଆରର ଚକିତ କରିଦେଲା ଭଳି ରିପୋର୍ଟ । ରିପୋର୍ଟ ଅନୁସାରେ ଓଡ଼ିଶାର ୬୪ଜଣ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ସେମାନଙ୍କ ମଧ୍ୟରୁ ଜଣେ ବିଧାୟକଙ୍କ ନାଁରେ ରହିଛି ଦୁଷ୍କର୍ମ ଅଭିଯୋଗ । ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ ବା ଏଡିଆର ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ, ଓଡ଼ିଶାର ୧୪୫ଜଣ ବିଧାୟକଙ୍କ ବିବରଣୀକୁ ବିଶ୍ଳେଷଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୬୪ଜଣଙ୍କ ନାଁରେ ରହିଛି ଅପରାଧୀକ ମାମଲା । ଏମାନଙ୍କ ମଧ୍ୟରୁ ୪୬ଜଣ ବିଧାୟକଙ୍କ ବିରୋଧରେ ଗମ୍ଭୀର ଅପରାଧୀକ ମାମଲା ରହିଛି । ସେହିପରି ଓଡ଼ିଶାର ୨ଜଣ ବିଧାୟକଙ୍କ ନାଁରେ ହତ୍ୟା, ୧୧ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ଏବଂ ୧୨ଜଣଙ୍କ ବିରୋଧରେ ମହିଳାଙ୍କ ପ୍ରତି କରାଯାଇଥିବା ଅପରାଧ ମାମଲା ସାମିଲ ରହିଛି । ଏହାସହ ଜଣେ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ମଧ୍ୟ ପଞ୍ଜୀକୃତ ହୋଇଛି । ଏଡିଆର ତଥ୍ୟ ଅନୁସାରେ, ବିଜେଡ଼ିର ୧୧୩ଜଣ ବିଧାୟକଙ୍କ ସତ୍ୟପାଠ ତଥ୍ୟକୁ ବିଶ୍ଲେଷଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୫ଜଣଙ୍କ ନାଁରେ ଅପରାଧିକ ମାମଲା ଥିବା ଜଣାପଡ଼ିଛି ।

ସେହିପରି ୪୫ଜଣଙ୍କ ମଧ୍ୟରୁ ୩୨ଜଣଙ୍କ ନାଁରେ ରହିଛି ଗମ୍ଭୀର ଅପରାଧିକ ମାମଲା । ଦେଶର ୨୮ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୩୫୬ଜଣ ବିଜେପି ବିଧାୟକଙ୍କ ତ୍ୟକୁ ବିଶ୍ଳେଷଣ କରିଛି ଏଡିଆର । ଯେଉଁଥିରେ ୪୭୯ଜଣଙ୍କ ନାଁରେ ଅପରାଧିକ ମାମଲା ଥିବା ଉଲ୍ଲେଖ ରହିଛି । ସେହି ୪୭୯ଜଣଙ୍କ ମଧ୍ୟରୁ ୩୩୭ଜଣଙ୍କ ନାଁରେ ରହିଛି ଗୁରୁତର ଅପରାଧିକ ମାମଲା । ସେହିପରି କଂଗ୍ରେସର ୭୧୯ଜଣ ବିଧାୟକଙ୍କ ତଥ୍ୟକୁ ବିଶ୍ଳେଷଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୪ଜଣଙ୍କ ନାଁରେ ଅପରାଧିକ ମାମଲା ଥିବା କଥା ସାମ୍ନାକୁ ଆସିଛି ।

କେବଳ ସେତିକି ନୁହେଁ ଏମାନଙ୍କ ମଧ୍ୟରୁ ୧୯୪ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ଥିବା ଜଣାପଡ଼ିଛି । ଖାସ୍ ଏଥିପାଇଁ ଚଳିତଥର ବିଭିନ୍ନ ଦଳ ପକ୍ଷରୁ ପୁରୁଣା ଏବଂ ଦାଗୀ ନେତାଙ୍କ ବଦଳରେ ଯୁବ ନେତାଙ୍କୁ ମନସ୍ତ କଲେଣି ଅଧିକାଂଶ ଦଳ ।
