ନିରପେକ୍ଷ : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହେଲାଣି କାଉଣ୍ଟ୍ ଡାଉନ୍ । ଏପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା ହୋଇନି । ତଥାପି ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି ଓଡ଼ିଶାର ୩ ପ୍ରମୁଖ ଦଳ । ପ୍ରସ୍ତୁତ ହେଲାଣି ବ୍ଲୁ ପ୍ରିଣ୍ଟ୍ । ୩ଦଳର ରଣନୀତି ବି ପ୍ରସ୍ତୁତ । ହେଲେ ଚଳିତଥର ନିର୍ବାଚନରେ ସବୁ ଦଳର ଫୋକସରେ ରହିଛି ପଶ୍ଚିମ ଓଡ଼ିଶା । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ଛକାପଞ୍ଝା । କିଏ କରିବ ବାଜିମାତ୍? ଶାସକ ବିଜେଡ଼ି ଓ ମୁଖ୍ୟ ବିରୋଧୀ ବିଜେପି ମଧ୍ୟରେ ହେବ ଘମାଘୋଟ ଲଢେଇ । ଗତଥର ପଶ୍ଚିମ ଓଡ଼ିଶାର ୫ରୁ ୫ ଲୋକସଭା ଆସନ ଅକ୍ତିଆର କରିଥିଲା ବିଜେପି । ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ କଳାହାଣ୍ଡି ବି ଏବେ ରହିଛି ବିଜେପି କବଜାରେ । ଏଣୁ ଏଥର ୫ଟିଯାକ ଲୋକସଭା ଆସନ ସହ ସମସ୍ତ ବିଧାନସଭା ଆସନକୁ କବଜା କରିବା ଲକ୍ଷ୍ୟରେ ରହିଛି ଶାସକ ବିଜେଡ଼ି । ଯାହାକୁ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜୁ ଜନତା ଦଳ ।

ହେଲେ ଲୋକ ଭଲ ପାଇ ବିଜେପିକୁ ଆଶୀର୍ବାଦ କରିଥିବାରୁ ବିଜେଡ଼ି ଭୟଭୀତ ହୋଇପଡ଼ିଛି ବୋଲି କହୁଛନ୍ତି ବିଜେପି ବିଧାୟକ । ଲୋକଙ୍କ ପାଖକୁ ଯାଉନଥିବା ବିରୋଧୀ ମୁଖ୍ୟମନ୍ତ୍ରୀ ଏବେ ଯାହା କରୁଛନ୍ତି ବୋଲି ଭୋଟ୍ ପାଇବାକୁ କରୁଛନ୍ତି ବୋଲି କହିଛନ୍ତି । ସେପଟେ କଂଗ୍ରେସ ବି ଦାବି କଲାଣି ଏଥର ପଶ୍ଚିମ ଓଡ଼ିଶା ଦଖଲ କରିବ ହାତ । ବିଶେଷକରି ପଶ୍ଚିମ ଓଡ଼ିଶାରେ ମୋଟ୍ ୩୭ଟି ବିଧାନସଭା ଆସନ ଥିବା ବେଳେ ଏବେ ୨୨ଟି ଆସନ ରହିଛି ଶାସକ ବିଜେଡ଼ି ହାତରେ । ସେହିପରି ବିଜେପି ହାତରେ ୮ଟି ଆସନ ଥିବା ବେଳେ ୪ଟି ଆସନ ଦଖଲ କରିଥିଲା କଂଗ୍ରେସ । ଅନ୍ୟ ଗୋଟିଏ ସିଟ୍ ଯାଇଥିଲା ସିପିଆଇଏମ ଖାତାକୁ । ଏବେ ବିଜେପି ଖାତାକୁ ଯାଇଥିବା ୫ଟି ଲୋକସଭା ଆସନ ଏବଂ ବିରୋଧୀ ହାତରେ ଥିବା ୧୩ଟି ଆସନକୁ ଛଡାଇ ଆଣିବାକୁ ଯୋଜନା କରୁଛି ବିଜେଡ଼ି ।

ଖାସ୍ ଏଥିପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠି ବୃଦ୍ଧି ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର । ହେଲେ ବିଜେଡ଼ିର ଏଭଳି କାର୍ଯ୍ୟକୁ ସମାଲୋଚନା କରିଛି ବିଜେପି । ବିଜେପି କହିଛି ରାଜ୍ୟ ସରକାରଙ୍କୁ ଭୟ ଘାରିଲାଣି । ପଶ୍ଚିମ ଓଡ଼ିଶାବାସୀ ପୁନର୍ବାର ବିଜେପିକୁ ଆପଣାଇବେ ଓ ଦଳ ଏଠାରେ ବାଜିମାତ୍ କରିବ ବୋଲି କହିଲେଣି ଦଳର ବରିଷ୍ଠ ନେତା । ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ପଶ୍ଚିମ ଓଡ଼ିଶାରେ ବିଜେପିର ସବୁ ସାଂସଦ ଜିତିଛନ୍ତି । ତେଣୁ ବିଜେଡ଼ି ପଶ୍ଚିମ ଓଡ଼ିଶା ଉପରେ ଅଧିକ ଫୋକସ୍ କରୁଛି । ହେଲେ ଏବେ ରାଜ୍ୟରେ ବିଜେଡ଼ି କିମ୍ବା ବିଜେପିର ପରିସ୍ଥିତି ଭଲ ନାହିଁ । ଏଣୁ ଉଭୟଙ୍କ ଲଢେଇରେ କଂଗ୍ରେସ ଫାଇଦା ନେବ ବୋଲି କହିଛନ୍ତି ତାରାପ୍ରସାଦ ବାହିନୀପତି । ଏ ସମ୍ପର୍କରେ ବିଜେଡ଼ି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଫଣ୍ଡି ବଢିବାକୁ ଆମେ ଦାବି କରିଥିଲୁ ।
