ନିରପେକ୍ଷ :ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଓଡ଼ିଶାରେ ପୁନର୍ବାର କ୍ଷମତାସୀନ ହେବାକୁ ରଣନୀତି ପ୍ରସ୍ତୁତ କରୁଛି ଶାସକ ବିଜେଡ଼ି । ହେଲେ ଏହାପୂର୍ବରୁ ବିଜେଡ଼ି ପାଇଁ ବଡ଼ ପରୀକ୍ଷା ଭାବେ ଉଭା ହୋଇଛି ଓଡ଼ିଶାର ଅନେକ ବିଧାନସଭା ଆସନ । କଳାହାଣ୍ଡି ଜିଲ୍ଲାର ସମସ୍ତ ବିଧାନସଭା ଆସନରେ ଶାସକ ବିଜେଡ଼ିର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ । ଏଣୁ ନିର୍ବାଚନ ପୂର୍ବରୁ ବିଜେଡ଼ି କିଭଳି କଳାହାଣ୍ଡିରେ ନିଜର ସ୍ଥିତି ସୁଦୃଢ କରିବ ସେ ନେଇ ଚିନ୍ତାରେ ପଡିଗଲାଣି । ଏପଟେ ଚଳିତଥର ବି ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଲେଣି ବିଜେଡ଼ି ସୁପ୍ରିମୋ ।

ନିଜର ପାରମ୍ପରୀକ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ସମେତ କଳାହାଣ୍ଡି ଜିଲ୍ଲା ନର୍ଲା ଆସନରୁ ନିର୍ବାଚନ ଲଢିବେ ନବୀନ ପଟ୍ଟନାୟକ । ସମୟ ଥିଲା ନବୀନ ଯାହାକୁ ବି ଟିକେଟ୍ ଦେଉଥିଲେ ସେ ନିଦ୍ୱର୍ନ୍ଦରେ ବିଜୟୀ ହେଉଥିଲା । ହେଲେ ଏବେ ବଦଳିଛି ରାଜନୈତୀକ ପାଣିପାଗ । ଲୋକଙ୍କ ପାଖକୁ ସରକାର ଯାଉଥିବାର ପରମ୍ପରା ଚାଲିଛି । ଜଣେ ସରକାରୀ ବାବୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି । ଚଟାପଟ୍ ସମାଧାନ କରୁଛନ୍ତି ବିଭିନ୍ନ ସମସ୍ୟା । ସମସ୍ୟା ଶୁଣିବା ମାତ୍ରେ ଡିସିସନ୍ ଅନ୍ ଦି ସ୍ପଷ୍ଟ୍ । ଖାସ୍ ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ନବୀନଙ୍କୁ ଟାର୍ଗେଟ୍ କରାଯାଉଛି ।

କେବଳ ସେତିକି ନୁହେଁ ଏହି ଘଟଣାକୁ ଆସନ୍ତା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିବାକୁ ପ୍ରସ୍ତୁତ ହେଲେଣି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ନବୀନ କି ତାଙ୍କ ବିଧାୟକ କାହିଁକି ଯାଉନାହାନ୍ତି ଲୋକଙ୍କ ପାଖକୁ । ତାଙ୍କ ବଦଳରେ କାହିଁକି ଆସୁଛନ୍ତି ଏହି ପ୍ରଶାସନୀକ ଅଧିକାରୀ ଜଣଙ୍କ । ଓଡ଼ିଶାବାସୀଙ୍କ ମନରେ ବି ଏବେ ଏହି ପ୍ରଶ୍ନ ଉଙ୍କି ମାରୁଛି । ହେଲେ ଆସନ୍ତା ନିର୍ବାଚନରେ ଏହାର କୌଣସି ଫରକ୍ ପଡିବନି ବୋଲି ବିଜେଡ଼ିକୁ ମିଳିସାରିଲାଣି ସଙ୍କେତ । କିଛି ବେସରକାରୀ ଓ ସରକାରୀ ଗୁଇନ୍ଦା ବିଭାଗ ବିଜେଡ଼ିୁ ଏ ବାବଦରେ ରିପୋର୍ଟ ଦେଇଥିବା କଥା ଚର୍ଚ୍ଚା ହେଉଛି ।
