ନିରପେକ୍ଷ(ଭୁବନେଶ୍ୱର)୧୫/௦୭ : ସକାଳୁ ସକାଳୁ ପାଗରେ ପରିବର୍ତ୍ତନ। ତାପରେ ତୁହାକୁ ତୁହା ଛେଚି ଚାଲିଛି ବର୍ଷା । ରାସ୍ତା ଘାଟ ସବୁଠି ବର୍ଷା ପାଣିର ସୁଅ ।ମାଡି ଆସୁଛି ଓଡିଶାକୁ ଆସୁଛି ବଡ଼ ଧରଣର ବର୍ଷା । ମୌସୁମୀ ନିମ୍ନ ଚାପ ରେଖାର ପୂର୍ବ ଭାଗ ତାର ସାଧାରଣ ଅବସ୍ଥାନର ଦକ୍ଷିଣରେ ରହିଛି । ଫଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ମୌସୁମୀ ସକ୍ରିୟ । ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି । ଆଗାମୀ ୨ ଘଣ୍ଟା ଯାଏଁ ତୀବ୍ର ବୃଷ୍ଟିପାତ ସକାଶେ ଚେତାବନୀ ଜାରି ହୋଇଛି । ଟୁଇନ ସିଟିରେ ତୀବ୍ର ରୁ ଅତି ତୀବ୍ର ବର୍ଷା ଲାଗିରହିଛି । ଫଳରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିପାରେ ।

ତଳିଆ ଅଂଚଳରେ ପାଣି ଜମିବ ତଥା ଅଣ୍ଡରପାସ ରୋଡ଼ରେ ପାଣି ଜମିବା ସମ୍ଭାବନା ରହୁଥିବାରୁ ଆବଶ୍ୟକ ନଥିଲେ ଯାତାୟାତରୁ ନିବୃତ ରହିବାକୁ ସୂଚନା । ଆଜି ସକାଳ ୮.୩୦ ସୁଧା କଟକ ସହରରେ ୪୧.୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୪.୭ ମିମି ବର୍ଷା ରେକର୍ଡ ହୋଇଚି । ପାରାଦୀପରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀରେ ୮୬.୬ ମିମି, ଢେଙ୍କାନାଳରେ ୭୦ ମିମି ବର୍ଷା ରେକର୍ଡ ହୋଇଛି ।

ସେପଟେ ଆଗକୁ ରହିଛି ବ୍ୟାକ ଟୁ ବ୍ୟାକ ଲଘୁଚାପ । ଆସନ୍ତାକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ନେଇପାରେ ଲଘୁଚାପର ରୂପ । ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ ହୋଇଛି । ପରବର୍ତ୍ତୀ ସମୟରେ ଏହା ଅବପାତରେ ପରିଣତ ସମ୍ଭାବନା ରହିଛି ।
