ନିରପେକ୍ଷ(ଭୁବନେଶ୍ୱର) : କେତେବେଳେ ତୁହାକୁ ତୁହା ବର୍ଷ ତ ଅନ୍ୟ କେତେବେଳେ ଖରା ।ମୌସୁମୀ ଆସିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିବା ସହ ବର୍ଷା ଅନୁଭୂତ ହୋଇଛି। ଗତକାଲି ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିଛି। ଏହା କାରଣରୁ ଗତ କିଛିଦିନ ଧରି ଲାଗି ରହିଥିବା ଖରାଟିଆ ପାଗରେ ପରିବର୍ତ୍ତନ ଆସିବା ସହ ଅନେକ ସ୍ଥାନରେ ବର୍ଷା ହୋଇଛି। ତେବେ ଏହି ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଗୁଳୁଗୁଳିରୁ ମୁକ୍ତି ମିଳିଛି। ଅନ୍ୟପଟେ ଧୀରେ ଧୀରେ ଏହି ପାଗରେ ପରିବର୍ତ୍ତନ ଆସିବା ସହିତ ତୃତୀୟ ଓ ଚତୁର୍ଥ ସପ୍ତାହରେ କ୍ରମାଗତ ଭାବେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏଥିପାଇଁ ଜୁଲାଇ ୧୬ ପରେ ରାଜ୍ୟରେ ପାଗ ବଦଳିବା ସହିତ ଦ୍ୱିତୀୟାର୍ଦ୍ଧରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଜୁଲାଇ ଦ୍ୱିତୀୟ ସପ୍ତାହର ବାକି ୩ ଦିନ (୧୨-୧୪)ରେ ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ। ତୃତୀୟ ସପ୍ତାହରେ ୧୫-୧୭ ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଓ ଉପକୂଳରେ ସ୍ୱଳ୍ପ ବର୍ଷା ହେବ। ହେଲେ ୧୮-୨୧ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସହ ମୌସୁମୀ ଟ୍ରଫ ସ୍ୱାଭାବିକ ସ୍ଥିତିକୁ ଫେରିବ।

ଏଧିପାଇଁ ରାଜ୍ୟରେ ମଧ୍ୟମରୁ ଭାରି ବର୍ଷା ହେବ। ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ସମୁଦାୟ ବର୍ଷା ୯୦-୧୧୦ ମିଲିମିଟର ହେବାକୁ ଥିବା ବେଳେ ଏହାଦ୍ୱାରା ବୁଣା, ରୁଆ, ବେଉଷଣ ପାଇଁ ପାଣି ଉଠିଯାଇପାରେ। ସେହିପରି ଚତୁର୍ଥ ସପ୍ତାହରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ପଶୁପାଳକ ଆକଳନ କରିଛନ୍ତି।

ତେବେ ଏହା ଆନ୍ଧ୍ର-ଓଡ଼ିଶା ଉପକୂଳକୁ ମୁହାଁଇବା ସମ୍ଭାବନା ଥିବା ବେଳେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଯଦି ଏମିତି ହୁଏ ତେବେ ରାଜ୍ୟରେ ୧୨୦ ମିମିରୁ ଅଧିକ ବର୍ଷା ହେବ। ଯାହାଦ୍ୱାରା ଚାଷ କାର୍ଯ୍ୟ ଆଗେଇବ ବୋଲି ପ୍ରଫେସର୍ ପଶୁପାଳକ କହିଛନ୍ତି।
