Home bastu tips ଶ୍ରାବଣ କୃଷ୍ଣ ପଞ୍ଚମୀ

ଶ୍ରାବଣ କୃଷ୍ଣ ପଞ୍ଚମୀ

by Admin
0 comment

ଶ୍ରାବଣ କୃଷ୍ଣ ପଞ୍ଚମୀ ସାରା ଭାରତରେ ମନସା ପଞ୍ଚମୀ ଭାବରେ ପାଳିତ ହୁଏ। ‘ମନସା’ ହେଉଛନ୍ତି ସର୍ପଦେବୀ। ସେ କଶ୍ୟପ ପ୍ରଜାପତିଙ୍କ କନ୍ୟା ଏବଂ ଅନନ୍ତନାଗ (ବାସୁକୀ)ଙ୍କ ଭଉଣୀ।
ପୌରାଣିକ ଆଖ୍ୟାନ ଅନୁସାରେ, ପ୍ରାଚୀନ କାଳରେ ପ୍ରଜାଗଣ ସର୍ବଦା ସର୍ପଭୟରେ ଉଦ୍‌ବେଗରେ ଦିନ ବିତାଉଥିଲେ। ତେଣୁ ସେମାନଙ୍କୁ ସର୍ପଭୟରୁ ମୁକ୍ତ କରିବାପାଇଁ ସର୍ପମନ୍ତ୍ର ସୃଷ୍ଟି କରିବାକୁ ବ୍ରହ୍ମା କଶ୍ୟପଙ୍କୁ ପରାମର୍ଶ ଦେଇଥିଲେ। ଫଳରେ କଶ୍ୟପ ସର୍ପମନ୍ତ୍ରର ସୃଷ୍ଟି କଲେ। ସେହି ମନ୍ତ୍ରର ଅଧିଷ୍ଠାତ୍ରୀ ଦେବୀ ଭାବରେ ଏହି ଦେବୀଙ୍କୁ ମଧ୍ୟ ତପ ବଳରେ ସେ ସୃଷ୍ଟି କରିଥିଲେ। କଶ୍ୟପଙ୍କ ମାନସ କନ୍ୟା ହୋଇଥିବାରୁ ତାଙ୍କର ନାମ ହୋଇଥିଲା ‘ମନସା’। କଶ୍ୟପଙ୍କ ପୁତ୍ରୀ ଭାବରେ ମଧ୍ୟ ତାଙ୍କର ନାମ ‘କାଶ୍ୟପୀ’।

ମନସା ଥିଲେ ଶିବ ଓ ବିଷ୍ଣୁ ଉଭୟଙ୍କର ଭକ୍ତା। ଶିବଙ୍କ ଶିଷ୍ୟା ଭାବରେ ସେ ‘ଶୈବୀ’ ଓ ବିଷ୍ଣୁଙ୍କ ଅନୁବ୍ରତୀ ଭାବରେ ସେ ‘ବୈଷ୍ଣବୀ’ ରୂପେ ପରିଚିତା। କୁମାରୀକନ୍ୟା ଥିବାବେଳେ, ସେ ଶିବଙ୍କ ନିକଟରୁ ସ୍ତବ, ପୂଜା, ମନ୍ତ୍ର ଆଦି ଶିକ୍ଷାକରି ସିଦ୍ଧସାଧିକା ହୋଇଥିଲେ। ତାଙ୍କର ନାମ ହୋଇଥିଲା ‘ସିଦ୍ଧଯୋଗିନୀ’। ଜନ୍ମେଜୟଙ୍କ ସର୍ପଯଜ୍ଞରେ ସେ ନାଗଙ୍କର ପ୍ରାଣରକ୍ଷା କରି ‘ନାଗେଶ୍ୱରୀ’ ନାମରେ ପ୍ରଖ୍ୟାତା ହୋଇଥିଲେ। ସର୍ପବିଷ ହରଣକାରିଣୀ ଭାବରେ ତାଙ୍କର ନାମ ମଧ୍ୟ ‘ବିଷହାରିଣୀ’।

ମନସା ଥିଲେ ଅତ୍ୟନ୍ତ ସୁନ୍ଦରୀ। ତେଣୁ ‘ଜଗଦ୍‌ଗୌରୀ’ ଭାବରେ ମଧ୍ୟ ସେ କଥିତା ହୁଅନ୍ତି। କଶ୍ୟପମୁନି ତାଙ୍କୁ ଜରତ୍‌କାରୁ ମୁନିଙ୍କ ସହିତ ବିବାହ କରାଇଥିଲେ। ପରେ, ଦେବତା, ମନୁ, ମୁନି, ନାଗ ଓ ମନୁଷ୍ୟ ସମସ୍ତେ ତାଙ୍କର ପୂଜା କଲେ। ଶ୍ରାବଣ କୃଷ୍ଣ ପଞ୍ଚମୀରେ ତାଙ୍କ ପାଇଁ ଯେଉଁ ବ୍ରତ କରାଯାଏ, ତାହାର ନାମ ‘ମନସା ପଞ୍ଚମୀ’ ବ୍ରତ।

ଏହିଦିନ ହିନ୍ଦୁ କୁମାରୀ ଏବଂ ମହିଳାମାନେ ଭଲ ଦୃଷ୍ଟିଶକ୍ତି ପାଇବା ଉଦ୍ଦେଶ୍ୟରେ ନାଗ ନାଗୁଲି ଦେବତାଙ୍କୁ ପୂଜର୍ଚ୍ଚନା କରନ୍ତି । ମାଟିର ହୁଙ୍କା ଆଣି କୋଠିରେ ସ୍ଥାପନ କରି ପୂଜାବିଧି ପାଳନ କରନ୍ତି । କଥିତ ଅଛି, ଶ୍ରାବଣ ମାସର ପ୍ରଥମ ଦିନରେ ମନସା ଦେବୀଙ୍କୁ ପ୍ରାର୍ଥନା କଲେ ଅଶେଷ ପୁଣ୍ୟ ମିଳିଥାଏ। ସେହିପରି, ଶୁକ୍ଳପକ୍ଷର ପଞ୍ଚମ ଦିନରେ ଏହି ଦେବୀଙ୍କୁ ପାଦ୍ୟ, ଅର୍ଘ୍ୟ ପ୍ରଦାନ କଲେ, ଭକ୍ତ ତାଙ୍କ କୃପାରୁ ଧନ, ରତ୍ନ ଓ ଯଶ ଏବଂ ପୁତ୍ର, କନ୍ୟା ଲାଭ କରିଥାଏ।
ସମସ୍ତ ପ୍ରାଣୀଙ୍କ ମଧ୍ୟରେ ସର୍ପ ଅତ୍ୟନ୍ତ କ୍ରୋଧୀ ବୋଲି ପୁରାଣରେ ଉଲ୍ଲେଖ ଅଛି। ତେଣୁ ପ୍ରାଣୀମାନଙ୍କୁ ସର୍ବଦା ସର୍ପ ଦଂଶନର ଭୟ ରହିଥାଏ। ଦେବୀ ମନସାଙ୍କ ପୁତ୍ର ଆସ୍ତିକ ସର୍ପମାନଙ୍କୁ ଜନ୍ମେଜୟଙ୍କ ସର୍ପଯଜ୍ଞରୁ ଉଦ୍ଧାର କରିଥିଲେ। ତେଣୁ ସର୍ପମାନେ ସର୍ବଦା ମନସାଙ୍କ ପ୍ରତି କୃତଜ୍ଞ ରହିଥାନ୍ତି। ତେଣୁ ସର୍ପଦଂଶନରୁ ରକ୍ଷା ପାଇବା ପାଇଁ ମନସା ପୂଜାର ପ୍ରଚଳନ ବୋଲି କୁହାଯାଏ। ‘ମନସା ବିଜୟ’ ଗ୍ରନ୍ଥ ଅନୁଯାୟୀ, ଜଣେ ଗୋପାଳକ ପ୍ରଥମେ ମନସା ଦେବୀଙ୍କର ଆରାଧନା କରିଥିଲେ। ପରବର୍ତ୍ତୀ କାଳରେ ମନସା ପୂଜାର ପ୍ରଚାର ଓ ପ୍ରସାର ଘଟିଛି।

ସମସ୍ତ ଇଚ୍ଛା ପୂରଣ କରନ୍ତି ମନସା ଦେବ। ଭକ୍ତଙ୍କ ମନକୁ ବୁଝି ପାରନ୍ତି ମହାମାୟୀ ମନସା ଦେବୀ। ହରିୟାଣାର ପଞ୍ଚକୁଲାରେ ଅବସ୍ଥିତ ମନସା ଦେବୀ ମନ୍ଦିର ହେଉଛି ୫୧ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ। ମାତା ସତୀଙ୍କ ମସ୍ତିଷ୍କ ଏଠାରେ ପଡ଼ିଥିଲା । ଏହି କାରଣରୁ କୁହାଯାଏ ଯେ ମନ୍ଦିରରେ ପ୍ରତ୍ୟେକଟି ଇଚ୍ଛା ପୂରଣ ହୋଇଥାଏ । ଶିୱାଲିକ୍ ପର୍ବତ ମାଳାରୁ ନେଇ କୁରୁକ୍ଷେତ୍ର ପର୍ଯ୍ୟନ୍ତ ୪୮କୋଷର ସିନ୍ଧୁବନରେ ଋଷି-ମୁନୀ ମାନେ ପୁରାଣ ରଚନା କରିଥିଲେ । ଏହି ସମସ୍ତ ଭୂଭାଗ ଦେବଧରା ନାମରେ ଜଣାଶୁଣା ।
ଏହି ପରମ୍ପରାରେ ହରିଆନାର ପଞ୍ଚକୁଳାରେ ଶିୱାଲିକ୍ ପର୍ବତ ମାଳାର କୋଳରେ ସିନ୍ଧୁବନର ଶେଷ ସୀମାରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆଚ୍ଛାଦିତ ଏକଦମ ମନୋରମ ଏବଂ ଶାନ୍ତ ପରିବେଶରେ ମାତା ମନସା ଦେବୀଙ୍କ ମନ୍ଦିର ଅବସ୍ଥିତ । ଯଦି କୌଣସି ଭକ୍ତ ସଚ୍ଚା ମନରେ ଚାଳିଶ ଦିନ ପର୍ଯ୍ୟନ୍ତ ଲଗାତାର ମାତା ମନସା ଦେବୀ ଙ୍କର ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରନ୍ତି, ତେବେ ମାତା ମନସା ଦେବୀ ତାଙ୍କର ମନୋକାମନା ଅବଶ୍ୟ ପୂରଣ କରିଥାନ୍ତି । ମାତା ମନସା ଦେବୀଙ୍କର ଚୈତ୍ର ଏବଂ ଆଶ୍ୱିନ ମାସର ନବରାତ୍ର ପର୍ବରେ ରେ ବଡ଼ ଧରଣର ମେଳା ବସିଥାଏ । ଏହି ପର୍ବ ମାତାଙ୍କର ପ୍ରମୁଖ ପର୍ବ ଭାବେ ପାଳନ କରାଯାଏ ।
ମାତା ମନସା ଦେବୀଙ୍କ ମନ୍ଦିରକୁ ନେଇ କେତେକ ଧାରଣା ଓ ମାନ୍ୟତା ପ୍ରଚଳିତ ରହିଛି । ଶ୍ରୀ ମାତା ମନସା ଦେବୀଙ୍କ ଇତିହାସ ଅନ୍ୟ ସିଦ୍ଧ ଶକ୍ତିପୀଠ ଭଳି ଅତି ପ୍ରାଚୀନ । ଶ୍ରୀ ମାତା ମନସା ଦେବୀଙ୍କ ଆବିର୍ଭାବ ହେବାର ଉଲ୍ଲେଖ ଶିବ ପୁରାଣରେ ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc