ନିରପେକ୍ଷ(ବ୍ୟୁରୋ )୨୮/୦୬: କେନ୍ଦୁଝର ପୁରୁଣା ସହରର ଷଠିଘରସାହି ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ରୋଷଣି ବେଳେ ବରଯାତ୍ରୀଙ୍କ ଉପରେ ଟ୍ରକ୍ ମାଡ଼ି ଯିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଗତକାଲି ଷଠିଘରସାହିର କାର୍ତ୍ତିକ ପାତ୍ରଙ୍କ ଝିଅଙ୍କ ବାହାଘର ଥିଲା। ହରିଚନ୍ଦନପୁର ବ୍ଲକ ମାନପୁର ଗାଁରୁ ଆସିଥିଲେ ବରଯାତ୍ରୀ। ରାତି ପ୍ରାୟ ଗୋଟାଏ ବେଳେ ବରଯାତ୍ରୀ ଦଳ ଜାତୀୟ ରାଜପଥ ଉପରେ ରୋଷଣି କରି ଆସୁଥିବା ବେଳେ ଝିଅ ଘର ଠାରୁ ମାତ୍ର କିଛି ଦୂରରେ ସେମାନଙ୍କ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା।ମୃତକଙ୍କ ମଧ୍ୟରେ ବରର ପୁତୁରା ଥିବା ବେଳେ ବରଯାତ୍ରୀ ଦଳର ଜଣେ ବ୍ୟକ୍ତି ରହିଛନ୍ତି। ଏହି ଦୁର୍ଘଟଣାରେ ଷଠିଘର ସାହିର ୩ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।
