ଦରମା ମାତ୍ର ୩୦ହଜାର । ପେଶାରେ ଜଣେ ସବ୍ ଇଞ୍ଜିନିୟର । ହେଲେ ତାଙ୍କ ପାଖରେ ରହିଛି ଦାମୀ ବଙ୍ଗଳା ସହ ୩୦ଲକ୍ଷର ଟିଭି, ୫୦ଟି ବିଦେଶୀ କୁକୁର ଓ ଥାର ସମେତ ୧୦ ଲକଜରୀ କାର । ଦରମାର ମୋଟ୍ ୨୩୦ଗୁଣା ସମ୍ପତ୍ତି ରହିଛି ତାଙ୍କ ପାଖରେ । ଏହି ମହିଳା ସବ୍-ଇଞ୍ଜିନିୟର ଜଣଙ୍କ ହେଉଛନ୍ତି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର । ସବ୍ ଇଞ୍ଜିନିୟର ହେମା ମିଣାଙ୍କ ଫାର୍ମ ହାଉସରେ ଚଢାଉ କରିଛି ଭୋପାଳ ଲୋକାୟୁକ୍ତ ବିଭାଗ । ଦୁର୍ନୀତିର ଚରମସୀମାରେ ପହଞ୍ଚିଛନ୍ତି ସବ୍-ଇଞ୍ଜିନିୟର ହେମା । ଭୋପାଳ ଲୋକାୟୁକ୍ତ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢଉ କରିଛନ୍ତି ।

ଚଢଉ ବେଳେ ତାଙ୍କ ଆୟର ମୋଟ୍ ୨୩୦ଗୁଣ ସମ୍ପତ୍ତି ଜବତ କରିଛି ଲୋକାୟୁକ୍ତ ବିଭାଗ । ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ମଧ୍ୟପ୍ରଦେଶ ପୋଲିସ ହାଉସିଂ କର୍ପୋରେସନରେ କାର୍ଯ୍ୟରତ ହେମାଙ୍କ ଘରେ ଚଢାଉ କରିଥିଲେ । ଏବେ ବି କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ହେମାଙ୍କ ନିକଟରୁ ଜବତ୍ ହୋଇସାରିଲାଣି ୭କୋଟି ଟଙ୍କାର ସମ୍ପତ୍ତି । ସବ୍ ଜୁନିୟର ହେମା ମିଣା ତାଙ୍କ ବାପାଙ୍କ ନାଁରେ ୨୦ହଜାର ବର୍ଗଫୁଟର ଜମି ନେଇଥିବା ବେଳେ ୧କୋଟି ଟଙ୍କାର ଘର ଆଲିସାନ୍ ଘର ବି ତିଆରି କରିଛନ୍ତି । ହେମାଙ୍କ ବିରୋଧରେ ୨୦୨୦ରେ ଆୟଠାରୁ ଅଧିକ ସମ୍ପତ୍ତି ଥିବା ଅଭିଯୋଗ ହୋଇଥିଲା ।

ଏହାପରେ ଆରମ୍ଭ ହୋଇଥିଲା ଯାଞ୍ଚ୍ । ସୂଚନା ମୁତାବକ ହେମାଙ୍କ ଦରମା ଯେତିକି ତାହାଠାରୁ ୨୩୦ଗୁଣା ସମ୍ପତ୍ତି ରହିଛି ତାଙ୍କ ପାଖରେ । କେବଳ ସେତିକି ନୁହେଁ, ସେ କୃଷି ପାଇଁ ବ୍ୟବହୃତ ଅନେକ ଯନ୍ତ୍ରପାତି ବି କିଣିଛନ୍ତି । ହେଲେ ଏତେସବୁ ସମ୍ପତ୍ତିର ହିସାବ ଦେବାରେ ଅସମର୍ଥ ହେମା । ସବ୍ ଇଞ୍ଜିନିୟର ହେମା ମିଣାଙ୍କୁ ଲୋକାୟୁକ୍ତ ଏବେ ବି ପଚରା ଉଚରା ଜାରି ରଖିଛନ୍ତି ।
