ପୁଣିଥରେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି ଫିନଟେକ୍ କମ୍ପାନୀ ପୂର୍ବତନ ନିର୍ଦ୍ଦେଶକ ଅଶନୀର ଗ୍ରୋଭର । ଅଶନୀର ଓ ତାଙ୍କ ପତ୍ନୀ ମାଧୁରୀ ଜୈନଙ୍କ ନାଁରେ ଦିଲ୍ଲୀ ପୋଲିସର ଅପରାଧ ଶାଖା ଏକ ମାମଲା ରୁଜୁ କରିଛି । ଉଭୟ ଗ୍ରୋଭର ପତିପତ୍ନୀଙ୍କ ଉପରେ କମ୍ପାନୀର ୮୧କୋଟି ଟଙ୍କାକୁ ଚଞ୍ଚକତା କରି ନିଜ ଆକାଉଣ୍ଟ୍ କୁ ଟ୍ରାନ୍ସଫର କରିଥିବା ହୋଇଛି ଅଭିଯୋଗ । ସାର୍କ ଟାଙ୍କ ଶୋ’ର ଜଜ୍ ସିଟରେ ବସି ଲାଇମଲାଇଟକୁ ଆସିଥିବା ଅଶନୀର ଗ୍ରୋଭରଙ୍କ ପିଛା ଛାଡୁନି ବିବାଦ । ଅଶନୀର ପୂର୍ବରୁ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଥିବା ବେଳେ ପତ୍ନୀ ମାଧୁରୀ ଜଏଣ୍ଟ୍ ଡାଇରେକ୍ଟର ଏଚଆର ଥିଲେ ।

ହେଲେ ବିବାଦ କାରଣରୁ ପୂର୍ବରୁ କମ୍ପାନୀ ବୋର୍ଡ ପକ୍ଷରୁ ଅଶନୀରଙ୍କୁ ସମସ୍ତ ପଦରୁ ହଟାଇ ଦିଆଯାଇଥିଲା । ଉଭୟ ପତିପତ୍ନୀ ଭାରତ ପେ’ରେ ବଡ଼ ପଦବୀରେ କାର୍ଯ୍ୟରତ ଥିବା ବେଳେ ଏହି ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି । ଏପରି କି ସେମାନେ ନକଲି ଇନଭଏସ୍ କରି କମ୍ପାନୀ ଆକାଉଣ୍ଟରୁ ୮୧କୋଟି ଟଙ୍କା ନିଜ ସମ୍ପର୍କୀୟ ଓ ନିକଟତମଙ୍କ ଆକାଉଣ୍ଟ୍ କୁ ଟ୍ରାନ୍ସଫର କରିନେଇଥିଲେ । ପୋଲିସ ଏହି ମାମଲାର ଖୋଳତାଡ଼ କରୁଥିବା ବେଳେ ଖୁବଶୀଘ୍ର ଗ୍ରୋଭର ଦମ୍ପତିଙ୍କୁ ପଚରାଉଚରା ପାଇଁ ଡାକିବ ବୋଲି ଜଣାପଡ଼ିଛି । ଅପରପକ୍ଷରେ ଭାରତ ପେ’ ପକ୍ଷରୁ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି । ଗତ ୧୫ମାସ ହେବ ଭାରତ ପେ’ କମ୍ପାନୀ, ବୋର୍ଡ ତଥା କର୍ମଚାରୀଙ୍କ ବିରୋଧରେ ଅଶନୀର ଷଡଯନ୍ତ୍ର କରିଚାଲିଛନ୍ତି । ଦିଲ୍ଲୀ ପୋଲିସର ଖୋଳତାଡ଼ ପରେ ତାଙ୍କର ସବୁ କଳା କାରନାମା ସାମ୍ନାକୁ ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
