ଋଷ-ୟୁକ୍ରେନ୍ ଯୁଦ୍ଧକୁ ଇତିମଧ୍ୟରେ ବର୍ଷେ ବିତିଗଲାଣି । ହେଲେ ଯୁଦ୍ଧ ଥମିବା ପରିବର୍ତ୍ତେ ଏବେ ପରସ୍ପର ଉପରକୁ ପରମାଣୁ ଆକ୍ରମଣ କରିବାକୁ ଧମକ୍ ଦେଲେଣି । ଏପରି କି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟ୍ଟିନଙ୍କ ବାସଭବନ ଉପରକୁ ଡ୍ରୋନ୍ ଆକ୍ରମଣ ହୋଇଛି । ପୁଟ୍ଟିନଙ୍କୁ ହତ୍ୟା ଉଦ୍ୟମ ପାଇଁ ଏବେ ଚାପରେ ପଡିଯାଇଛି ୟୁକ୍ରେନ୍ । ପୁଟ୍ଟିନଙ୍କୁ ହତ୍ୟା କରିବାକୁ ୟୁକ୍ରେନ୍ ଏହି ଡ୍ରୋନ୍ ଆକ୍ରମଣ କରାଇଥିବା ଋଷ ଅଭିଯୋଗ କରିଛି ।

ଋଷ ପକ୍ଷରୁ ଜାରି କରାଯାଇଥିବା ବୟାନରେ ଅଭିଯୋଗ ହୋଇଛି, ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ତାଙ୍କ ବାସଭବନ ଉପରକୁ ଡ୍ରୋନ୍ ଆକ୍ରମଣ କରିଛି ୟୁକ୍ରେନ୍ । ପୁଟ୍ଟିନ୍ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି । ସୂଚନା ମୁତାବକ ଗତକାଲି ରାତିରେ ପୁଟ୍ଟିନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କ୍ରେମଲିନ୍ ଉପରକୁ ଡ୍ରୋନ୍ ଆକ୍ରମଣ କରାଯାଇଥିଲା । ଗୋଟିଏ ନୁହେଁ ଦୁଇ ଦୁଇଟି ଡ୍ରୋନ୍ ଆକ୍ରମଣ ହୋଇଥିଲା । ହେଲେ ଋଷ ପକ୍ଷରୁ ଉକ୍ତ ଡ୍ରୋନ୍ ଗୁଡିକୁ ନଷ୍ଟ କରାଯାଇଛି । ଅପରପକ୍ଷରେ ରାଷ୍ଟ୍ରପତି ଭବନ ପକ୍ଷରୁ ୟୁକ୍ରେନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ଏପଟେ ୟୁକ୍ରେନ୍ କହିଛି, ୧୪ମାସର ଏହି ସଂଘର୍ଷର ଖୁବଶୀଘ୍ର ଅନ୍ତ ଘଟିବାକୁ ଯାଉଛି । ଯଦି ଆମ ଦେଶ ପକ୍ଷରୁ ଋଷ ରାଷ୍ଟ୍ରପତିଙ୍କ ବାସଭବନ ଉପରକୁ ପ୍ରକୃତରେ ଆକ୍ରମଣ କରାଯାଇଛି, ତେବେ ଏହାର ତଦନ୍ତ ହେଉ । ତଦନ୍ତ ହେଲେ ଏହା ଯୁଦ୍ଧର ଟର୍ଣ୍ଣିଂ ପଏଣ୍ଟ୍ ସାଜିବା ସହ ଖୁବଶୀଘ୍ର ଏ ସମ୍ପର୍କରେ ପ୍ରମାଣିତ ହୋଇଯିବ ବୋଲି କହିଛି ୟୁକ୍ରେନ୍ ।
