ଓଡ଼ିଶାର ନିଜ ଜନ୍ମମାଟିରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆଜି ୧୦ଟା ୧୬ରେ ରାଇରଙ୍ଗପୁରରେ ପହଞ୍ଚିଛନ୍ତି ମହାମହିମ । ରାଷ୍ଟ୍ରପତି ହେବାପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ମୟୁରଭଞ୍ଜ ଗସ୍ତ ହୋଇଥିବାରୁ ସେଠାରେ ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି । ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିଛନ୍ତି । ପରେ ରାଷ୍ଟ୍ରପତି ଚାଲିଚାଲି ସ୍ଥାନୀୟ ଲୋକଙ୍କୁ ନମସ୍କାର କରିବା ସହ ହାତ ହଲାଇ ସମସ୍ତଙ୍କ ଅଭିଭାଦନ ଗ୍ରହଣ କରିଛନ୍ତି । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଡାକବଙ୍ଗଳାରେ ଅବସ୍ଥାନ କରିବେ ।

୫ତାରିଖରେ ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିବା ପରେ ହେଲିକପ୍ଟର ଯୋଗେ ବାରିପଦା ଯିବେ । ବାରିପଦା ସର୍କିଟ୍ ହାଉସରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହ ସାକ୍ଷାତ କରିବା ପରେ ଅତିଥି ଭବନରେ ବିଶ୍ରାମ ନେବେ ରାଷ୍ଟ୍ରପତି । ୬ତାରିଖ ସକାଳେ ରାଷ୍ଟ୍ରପତି ବାରିପଦାର ତକତପୁରସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । କାର୍ଯ୍ୟକ୍ରମ ପରେ ହେଲିକପ୍ଟ ଯୋଗେ କଲେଇକୁଣ୍ଡା ଯିବେ ଏବଂ ସେଠାରୁ ଦିଲ୍ଲୀ ଫେରିଯିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
