ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ । ଖାସ୍ ଏଥିପାଇଁ ବଢୁଛି ଇଲେକ୍ଟ୍ରିକ୍ ଭେଇକିଲର ଜମାନା । ଏଭଳି ସ୍ଥିତିରେ ଭାରତୀୟ ଇଲେକ୍ଟ୍ରିକ୍ ମାର୍କେଟରେ ଦମ୍ ଦେଖାଉଛି ଓଲା । କେବଳ ସେତିକି ନୁହେଁ, ସରକାର ବି ଏଥିପାଇଁ ଦେଉଛନ୍ତି ସ୍ୱତନ୍ତ୍ର ସବସିଡ଼ି । ହେଲେ ଏହି ସମୟରେ ଗ୍ରାହକଙ୍କୁ ଠକିଛି ଓଲା କମ୍ପାନୀ । ସରକାର ଗାଡି ନିର୍ମାଣ କରୁଥିବା କମ୍ପାନୀଙ୍କୁ ସବସିଡି ଦେଉଥିବା ବେଳେ ବିଭିନ୍ନ ପ୍ରକାର ଚାର୍ଜ ବାବଦରେ ଗ୍ରାହକଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଉଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ଏବେ ଗ୍ରାହକଙ୍କଠାରୁ ନେଇଥିବା ଅତିରିକ୍ତ ଟଙ୍କା ଫେରାଇବାକୁ କହିଛି କମ୍ପାନୀ ।


ଓଲା କମ୍ପାନୀ ଗ୍ରାହକଙ୍କଠାରୁ ବ୍ୟାଟେରୀ ଚାର୍ଜର ପାଇଁ ବି ଟଙ୍କା ନେଇଥିଲା । ଯାହା ଆଇନବିରୁଦ୍ଧ ବୋଲି ଜଣାପଡ଼ିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଚାର୍ଜର ବାବଦ ଟଙ୍କା ଗ୍ରାହକଙ୍କୁ ଫେରାଇବାକୁ କହିଛନ୍ତି । ବ୍ୟାଟେରୀ ବାବଦରେ ଗ୍ରାହକଙ୍କଠାରୁ ୯ହଜାରରୁ ୧୯ହଜାର ଟଙ୍କା ନେଇଛି ଓଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆର୍ôଥକ ବର୍ଷ ୨୦୧୯-୨୦ରୁ ମାର୍ଚ୍ଚ ୩୦-୨୦୨୩ ମଧ୍ୟରେ ଯେଉଁମାନେ ଓଲା ଏସ-୧ ପ୍ରୋ ମଡେଲ କିଣିଛନ୍ତି ସେମାନଙ୍କୁ ଦେୟ ଫେରସ୍ତ କରିବ । ଓଲା କମ୍ପାନୀ ଚାର୍ଜର ବାବଦରେ ଗ୍ରାହକଙ୍କଠାରୁ ନେଇଥିବା ମୋଟ୍ ୧୩୦କୋଟି ଟଙ୍କା ଫେରସ୍ତ କରାଯିବ ବୋଲି ଜଣାପଡ଼ିଛି । ହେଲେ ଏହି ଟଙ୍କା କିଭଳି ଏବଂ କେବେ ଫେରସ୍ତ ହେବ ସେ ନେଇ କମ୍ପାନୀ ପକ୍ଷରୁ ଏଯାବତ୍ କୌଣସି ସୂଚନା ମିଳିନାହିଁ । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଓଲା ଇଲେକ୍ଟ୍ରିକ୍ ସମେତ ୪ଟି କମ୍ପାନୀ ସେମାନଙ୍କ ସ୍କୁଟର ମୂଲ୍ୟ କମ୍ ରଖି ଫେମ୍-୨ ଅଧୀନରେ ସବସିଡି ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଅଧିକ ଯାଞ୍ଚ୍ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିସ୍ ପାଇଛି ଓଲା ।

