ଖୁବଶୀଘ୍ର ଭାରତୀୟ ଟ୍ରାକରେ ଗଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍ । ଏବେ ଦେଶର ବିଭିନ୍ନ ଅଞ୍ଚଳରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚାଲୁଥିବା ବେଳେ ଏହାକୁ ନେଇ ଅନେକ ଚର୍ଚ୍ଚା । ଏଭଳି ସ୍ଥିତିରେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଦେଶରେ ଗଡ଼ିବାକୁ ଯାଉଛି ହାଇଡ୍ରୋଜେନ୍ ଟ୍ରେନ୍ । ଏବେ ଉନ୍ନତିପଥରେ ଆଗଉଛି ଭାରତୀୟ ରେଳବାଇ । ଏଭଳି ସ୍ଥିତିରେ ଆଉପାଦେ ଆଗକୁ ଯାଇ ବନ୍ଦେ ଭାରତ ପରେ ଏବେ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଇବାକୁ ଲକ୍ଷ୍ୟ ରଖିଛି ଇଣ୍ଡିଆନ୍ ରେଲୱେ । ଦେଶରେ ଏହି ଅତ୍ୟାଧୁନୀକ ହାଇଡ୍ରୋଜେନ୍ ଟ୍ରେନ୍ ଚାଲିଲେ ଗମନାଗମନ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି ।



ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମୁତାବକ ଗ୍ରୀନ୍ ଇନସିଏଟିଭ୍କୁ ଆଗକୁ ବଢାଇବାକୁ ଦେଶରେ ଚାଲିବ ଏହି ଅତ୍ୟାଧୁନୀକ ହାଇଡ୍ରୋଜେନ୍ ଟ୍ରେନ୍ । ଏହି ଟ୍ରେନଟିରେ ଡିଜେଲ ଇଞ୍ଜିନ୍ ବଦଳରେ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ସ ଲଗାଯାଇଥାଏ । କେବଳ ସେତିକି ନୁହେଁ, ଏହି ଟ୍ରେନରୁ କୌଣସଦି କାର୍ବନ୍ ଡାଇଅକ୍ସାଇଡ୍ ନିର୍ଗତ ହେଉନଥିବା ବେଳେ ଏହା ବାୟୁକୁ ମଧ୍ୟ ପ୍ରଦୂଷିତ କରିନଥାଏ । ପ୍ରଥମେ ଏହି ଟ୍ରେନ୍ ହରିୟାଣାରେ ଚାଲିବା ନେଇ ଯୋଜନା ଚାଲିଛି । ଏହାପରେ ଦାର୍ଜ୍ଜିଲିଂ, ସିମଲା ଆଦି ଅଞ୍ଚଳରେ ଏହି ଟ୍ରେନ୍ ଚଳାଇବାକୁ ଯୋଜନା କରୁଛି ରେଳ ବିଭାଗ ।

