ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଦଳ ମୁଖ୍ୟ ଶରଦ୍ ପାୱାର୍ । ଖୁବଶୀଘ୍ର ଏନସିପିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ ଶରଦ୍ ପାୱାର । ଆଜି ଏ ସମ୍ପର୍କରେ ଘୋଷଣା କରିବାର ମାତ୍ର କେଇଘଣ୍ଟା ପରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ପଦ ଛାଡିଛନ୍ତି ଶରଦ୍ । ୧୯୯୯ରେ ଏନସିପିର ଗଠନ ସମୟରେ ଏହାର ଅଧ୍ୟକ୍ଷଭାର ସମ୍ଭାଳି ଆସୁଥିଲେ ଶରଦ୍ ପାୱାର୍ । ହେଲେ ଦୀର୍ଘ ୨୪ବର୍ଷ ପରେ ଦଳର ଅଧ୍ୟକ୍ଷ ପଦରୁ ସେ ଇସ୍ତଫା ଦେଇଛନ୍ତି । କିଛିଦିନ ପୂର୍ବରୁ ଏନସିପି ଅଧ୍ୟକ୍ଷ ଶରଦଙ୍କ ପୁତୁରା ଅଜିତ୍ ପାୱାର ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଠିକ୍ ଏହାରି ଭିତରେ ଦଳର ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ଶରଦ୍ ପାୱାର ।

ଏହାସହ ଏନସିପି ଅଧ୍ୟକ୍ଷ କହିଛନ୍ତି, ଅନେକ ବର୍ଷ ଯାଏଁ ମୋତେ ରାଜନୀତିରେ ଦଳକୁ ଚଳାଇବାକୁ ସୁଯୋଗ ମିଳିଥିଲା । ହେଲେ ଏବେ ମୋର ବୟସ ଅଧିକ ହୋଇଯାଇଥିବାରୁ ମୁଁ ଏହି ପଦରୁ ଇସ୍ତଫା ଦେବାକୁ ଚାହୁଁଛି ବୋଲି କହିଥିଲେ ପାୱାର । ଅପରପକ୍ଷରେ ଏନସିପି ଅଧ୍ୟକ୍ଷଙ୍କ ଏଭଳି ଘୋଷଣା ପରେ ଦଳ ଭିତରେ ହଙ୍ଗାମା ସୃଷ୍ଟି ହୋଇଥିଲା । ପାର୍ଟି ବୈଠକରେ ଉପସ୍ଥିତ ଥିବା ନେତା ଓ ଦଳୀୟକର୍ମୀମାନେ ତୁରନ୍ତ ହୋ ହଲ୍ଲା କରିବା ଆରମ୍ଭ କରିଥିଲେ ।

ଏପରି କି ଶରଦଙ୍କୁ ତାଙ୍କ ପଦରୁ ଇସ୍ତଫା ନ ଦେବାକୁ ମଧ୍ୟ ଅନୁରୋଧ କରିଥିଲେ ନେତା ଓ ଦଳୀୟକର୍ମୀ । ହେଲେ ଶରଦ୍ ନିଜ ଜିଦରେ ଅଟଳ ରହିବା ସହ ଏହାର ଅଧ୍ୟକ୍ଷପଦରୁ ଇସ୍ତଫା ଦେଇଛନ୍ତି । ଏନସିପିରୁ ବିଦାୟ ନେବାପରେ ଏବେ ଶରଦ୍ ପାୱାରଙ୍କୁ ନେଇ ରାଜନୈତୀକ ମହଲରେ ହଇଚଇ ସୃଷ୍ଟି ହୋଇଛି । ଅପରପକ୍ଷରେ ଦଳୀୟ କର୍ମୀଙ୍କୁ ଏ ସମ୍ପର୍କରେ ଆଶ୍ୱାସନା ଦେବା ସହ ଏ ସମ୍ପର୍କରେ ପରିବାର ଭିତରେ ଆଲୋଚନା କରାଯିବ ବୋଲି କହିଛନ୍ତି ଶରଦ୍ ପାୱାରଙ୍କ ପୁତୁରା ଅଜିତ୍ ପାୱାର ।
