ଆସନ୍ତା ୧୦ମେ’ରେ କର୍ଣ୍ଣାଟକରେ ହେବ ମତଦାନ । ୧୩ତାରିଖରେ ନିର୍ବାଚନ ଫଳ ଫଳ ଘୋଷଣା ହେବ । ହେଲେ ଏହାପୂର୍ବରୁ ପ୍ରଜାଧ୍ୱନୀ ନାଁରେ ଏହି ଘୋଷଣାପତ୍ର ଜାରି କରିଛି ଭାରତୀୟ ଜନତା ପାର୍ଟି । ଯଦି ବିଜେପି କର୍ଣ୍ଣାଟକରେ ବିଜୟୀ ହୁଏ ତେବେ ମାଗଣାରେ ମିଳିବ ୩ଟି ଗ୍ୟାସ୍ ସିଲିଣ୍ଡର । ରାଜ୍ୟର ପ୍ରସିଦ୍ଧ ପର୍ବ ଉଗାଡି, ଗଣେଶ ଚତୁର୍ଥୀ ଓ ଦୀପାବଳୀରେ ବିପିଏଲ ପରିବାରଙ୍କୁ ମିଳିବ ଏହି ଗ୍ୟାସ ସିଲିଣ୍ଡର ।


ସେହିପରି ଖୁବଶୀଘ୍ର ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋର୍ଡ କାର୍ଯ୍ୟକାରୀ କରିବାକୁ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ ରହିଛି । କର୍ଣ୍ଣାଟକର ବିଭିନ୍ନ ନଗର ନିଗମର ପ୍ରତ୍ୟେକ ୱାର୍ଡରେ ସ୍ୱାସ୍ଥ୍ୟକାରୀ ଓ ଉତ୍ତମଗୁଣବତ୍ତାର ସ୍ୱଚ୍ଛ ଭୋଜନ ପାଇଁ ସ୍ଥାପନ ହେବ ଅଟଳ ଆହାର କେନ୍ଦ୍ର । ସେହିପରି ରାଜ୍ୟର ପ୍ରତିଟି ବିପିଏଲ ପରିବାରଙ୍କୁ ପ୍ରତ୍ୟେକଦିନ ମାଗଣାରେ ଅଧାଲିଟର ନନ୍ଦିନୀ କ୍ଷୀର ସହ ମାସକୁ ୫କେଜି ଶ୍ରୀ ଅନ୍ନ ଓ ଶ୍ରୀ ଧନ୍ୟ ରାସନ କିଟ୍ ବି ମିଳିବ ।


ରାଜ୍ୟର ବାସହୀନଙ୍କୁ ୧୦ଲକ୍ଷ ଘର ପ୍ରଦାନ କରାଯିବାନେଇ ଘୋଷଣା କରିଛି ଦଳ । କର୍ଣ୍ଣାଟକର ଏସସି ଓ ଏସଟି ପରିବାରର ମହିଳାଙ୍କୁ ୫ବର୍ଷ ଯାଏଁ ୧୦ହଜାର ଟଙ୍କାର ଏଫଡି ଯୋଗାଇ ଦେବ ବିଜେପି । ୫ଲକ୍ଷ ଯାଏଁ ଲୋନ୍ ନେଲେ ଏଥିପାଇଁ କୌଣସି ବ୍ୟାଙ୍କ ସୁଧ ନେବେନି ବୋଲି ଘୋଷଣାପତ୍ରରେ ଉଲ୍ଲେଖ କରିଛି ବିଜେପି । ଏହାସହ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରିବା ସହ ସରକାରୀ ସ୍କୁଲଗୁଡିକୁ ବିଶ୍ୱସ୍ତରୀୟ କରାଯିବ ବୋଲି ଘୋଷଣା କରିଛି ଭାରତୀୟ ଜନତା ପାର୍ଟି ।

