ଆଜି ଶ୍ରମିକ ଦିବସ ବୋଲି ସମସ୍ତେ କହୁଛନ୍ତି । ହେଲେ ଆମ ଶ୍ରମିକ କାର୍ଡ କ’ଣ ତାହା ଜାଣିନୁ? ସକାଳୁ ଖରାବେଳ ଯାଏଁ ଅପେକ୍ଷା କଲେ, କେବେ କାମ ମିଳେ ତ ପୁଣି କେବେ ମିଳେନି । ଆମେ ଅପାଠୁଆ, ତେଣେୁ ଏତେ କଥା କାହୁଁ ଜାଣିବୁ? ଦୀର୍ଘବର୍ଷ ହେବ ମଜୁରୀ ଲାଗି ପେଟ ପୋଷୁଛୁ । କେହି କେବେ ଆମକୁ ଲେବର କାର୍ଡ କ’ଣ ସେ ବିଷୟରେ କହିନାହାଁନ୍ତି । ନିଜର କୋହଭରା କଣ୍ଠରେ ଏଭଳି କହିଛନ୍ତି ଶହଶହ ଶ୍ରମିକ ।


ପ୍ରଶାସକଙ୍କଠାରୁ ନେତାଙ୍କ ପର୍ଯ୍ୟନ୍ତ ସବୁ ଶ୍ରମିକଙ୍କ କଲ୍ୟାଣ କଥା କହି ଗଦ୍ ଗଦ୍ ହୋଇପଡୁଛନ୍ତି । କିନ୍ତୁ ଏହାର ପ୍ରକୃତ ଲାଭ କିଭଳି ପ୍ରକୃତ ଶ୍ରମିକଙ୍କ ପାଖରେ ପହଞ୍ଚିବ ସେ ନେଇ କୌଣସି ବ୍ୟବସ୍ଥା ହୋଇନି । ହଜାର ହଜାର ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି । ହେଲେ ସେମାନେ ନିଜ ଅଜ୍ଞତାରୁ ଶ୍ରମ କଲ୍ୟାଣ ପାଇଁ ରହିଥିବା ବ୍ୟବସ୍ଥାରୁ କୌଣସି ଫାଇଦା ପାରୁନାହାନ୍ତି । ଅଧିକାଂଶ ଶ୍ରମିକ ଜାଣନ୍ତିନି, ସ୍ୱତନ୍ତ୍ର ଲେବର କାର୍ଡ ଓ ଶ୍ରମିକ କଲ୍ୟାଣ ପାଣ୍ଠି ବିଷୟରେ । ସରକାରଙ୍କ ଆଇନ ମୁତାବକ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ନିର୍ମାଣ କାମ ହେଲେ ତା’ର ୧ ପ୍ରତିଶତ ସେସ୍ ଶ୍ରମିକ କଲ୍ୟାଣ ବୋର୍ଡକୁ ଯାଏ । ଏହି ଅର୍ଥରେ ଶ୍ରମିକଙ୍କୁ ଝିଅ ବାହାଘର, ଛାତ୍ରବୃତ୍ତିଠାରୁ ନେଇ ଗୁରୁତର ଚିକିତ୍ସା ପାଇଁ ପ୍ରଦାନ କରାଯିବାର ନିୟମ ରହିଛି । ସହାୟତାରାଶୀ ବି ମିଳୁଛି ।

