କଂଗ୍ରେସ ମତେ ବାରମ୍ବାର ଗାଳି ଦେଇଛି । ଯେବେ ଯେବେ ଗାଳି ଦେଇଛି ଜନତା ତା’କୁ ଉଚିତ୍ ଜବାବ୍ ଦେଇଛନ୍ତି । ଥରେ କି ୨ଥର ନୁହେଁ କଂଗ୍ରେସ ତାଙ୍କୁ ୯୧ଥର ଗାଳି ଦେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କର୍ଣ୍ଣାଟକ ବୀଦର ଜିଲ୍ଲାର ହୁମାନାବାଦରେ ଆୟୋଜିତ ନିର୍ବାଚନୀ ସଭାରେ ଏଭଳି କହିଛନ୍ତି ମୋଦି । ନିକଟରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜ୍ଜୁନ ଖଡଗେ ତାଙ୍କୁ ବିଷଧର ସର୍ପ କହିଥିବା ପ୍ରସଙ୍ଗ ଉଠାଇଛନ୍ତି ମୋଦି । ମୋଦି କହିଛନ୍ତି, କଂଗ୍ରେସ ପୁଣି ମତେ ଅପମାନଜନକ ଗାଳିଦେବା ଆରମ୍ଭ କରିଛି ।

କେହି ଜଣେ ସେମାନେ ମତେ ଗାଳି ଦେଇଥିବା ନାଁଗୁଡିକର ତାଲିକା ପ୍ରସ୍ତୁତ କରିଛନ୍ତି । କଂଗ୍ରେସ ମୋତେ ୯୧ଥର ଗାଳି ଦେଲାଣି, କଂଗ୍ରେସ ସେମିତି ଗାଳି ଦେଇଥାଉ, ମୁଁ କିନ୍ତୁ କର୍ଣ୍ଣାଟକବାସୀଙ୍କ ପାଇଁ କାମ କରିଚାଲିବି । ଏ ନିର୍ବାଚନରେ ବିଜୟ ହାସଲ ନୁହେଁ, ଏ ହେଉଛି କର୍ଣ୍ଣାଟକକୁ ଦେଶର ୧ନଂ ରାଜ୍ୟରେ ପରିଣତ କରିବା । ସବୁ କ୍ଷେତ୍ରରେ ଉନ୍ନତି ହେଲେ ଯାଇ ରାଜ୍ୟ ଉନ୍ନତିପଥରେ ଆଗେଇବ । କଂଗ୍ରେସ ମତେ ଯେତେଥର ଗାଳି ଦେବ ସେତେଥର ପଦ୍ମ ଫୁଟିବ ବୋଲି ବାରମ୍ବାର ଦୋହରାଇଛନ୍ତି ମୋଦି । ଏପରି କି ଦେଶର ମହାନ ଜନନାୟକ ବାବା ସାହେବ ଆମ୍ବେଦକର ଓ ବୀର ସାବରକରଙ୍କ ପାଇଁ ବି ତାଙ୍କ ପ୍ରତି ଅପଶବ୍ଦର ପ୍ରୟୋଗ କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
