ଏଣିକି ମନଇଚ୍ଛା ଗର୍ଭବତୀଙ୍କର ଅସ୍ତ୍ରୋପଚାର କରିପାରିବେନି ଘରୋଇ ମେଡିକାଲ । ଘରୋଇ ଡାକ୍ତରଖାନାରେ ପ୍ରସବ ପାଇଁ ଅସ୍ତ୍ରୋପଚାର କରାଗଲେ ସ୍ୱାସ୍ଥ୍ୟ ବିଭାଗକୁ ଜବାବ୍ ଦେବାକୁ ପଡିବ । ପ୍ରକୃତରେ ଅସ୍ତ୍ରୋପଚାରର ଆବଶ୍ୟକ ଥିଲା କି ନାହିଁ ସେ ସମ୍ପର୍କରେ ଯାଞ୍ଚ୍ କରିବେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ଉପଯୁକ୍ତ କାରଣ ନଥାଇ ଅସ୍ତ୍ରୋପଚାର କରାଗଲେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ୍ ଆକ୍ଟ ଅନୁସାରେ ସମ୍ପୃକ୍ତ ଘରୋଇ ଡାକ୍ତରଖାନା ଓ ନର୍ସିଂହୋମ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଅସ୍ତ୍ରୋପଚାର ପ୍ରସବର ଅଡିଟ୍ ପ୍ରକ୍ରିୟାରେ କେବଳ ସରକାରୀ ଡାକ୍ତରଖାନା ସାମିଲ ଥିବା ବେଳେ ଏବେ ଏଥିରେ ଯୋଡି ହୋଇଛି ପ୍ରାଇଭେଟ୍ ହସ୍ପିଟାଲ ।

ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଜିଲ୍ଲାର ସିଡିଏମଓ ଓ ପିଏଚଓମାନଙ୍କୁ ଜାରି ହୋଇଛି । ମେ’ ୧ତାରିଖରୁ କାର୍ଯ୍ୟକାରୀ ହେବ ଏହି ନୂଆ ନିର୍ଦ୍ଦେଶନାମା । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ମୁତାବକ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ୨୦୧୫-୧୬ ତୁଳନାରେ ୨୦୧୯-୨୦ ରିପୋର୍ଟରେ ଓଡ଼ିଶାରେ ଅସ୍ତ୍ରୋପଚାର ପ୍ରସବ ସଂଖ୍ୟା ଢେର ବଢିଥିବା ଦର୍ଶାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ମୁତାବକ ଅସ୍ତ୍ରୋପଚାର ପ୍ରସବହାର ୧୦ପ୍ରତିଶତରୁ ଅଧିକ ରହିଲେ ମାତୃ ଓ ଶିଶୁ ମୃତ୍ୟୁହାର ଯେ କମିବ ଏଥିରେ କୌଣସି ଗ୍ୟାରେଣ୍ଟି ନାହିଁ । ଏଣୁ ପ୍ରସବଜନିତ ଅସ୍ତ୍ରୋପଚାର କ୍ଷେତ୍ରରେ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ।
