ଏଣିକି ସରକାରୀ ବାବୁ ଓ ମନ୍ତ୍ରୀ ଚଢିବେ ହାଇବ୍ରିଡ୍ ଗାଡି । ଏନେଇ ପରିବହନ କମିଶନରଙ୍କୁ ଚିଠି ଲେଖିଛି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ । ମନ୍ତ୍ରୀ, ସଚିବ ଓ ଅନ୍ୟ ବଡ଼ ଅଧିକାରୀମାନଙ୍କୁ ହାଇବ୍ରିଡ୍ ଗାଡି ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ କୁହାଯାଇଛି । ଏପରି କି ଅର୍ଥ ବିଭାଗର ଏଭଳି ପ୍ରସ୍ତାବକୁ ବି ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଅନୁମତି ପରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପ୍ରକ୍ରିୟା । ମନ୍ତ୍ରୀମାନଙ୍କୁ ଯେଉଁ ଗାଡି ଦିଆଯିବ ତା’ର ସର୍ବୋଚ୍ଚ ମୂଲ୍ୟ ୨୫ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି ।

ଉଭୟ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଅତିରିକ୍ତ ମୁଖ୍ୟ ସଚିବ ଆଦି ପାହ୍ୟାର ଅଧିକାରୀମାନେ ୨୫ଲକ୍ଷ ମୂଲ୍ୟର ଗାଡି ଚଢିବେ । ଏମାନଙ୍କୁ ଟୟୋଟା ଇନୋଭା, ମହିନ୍ଦ୍ରା ଏକ୍ସୟୁଭି-୫୦୦ ଏବଂ ଟାଟା ହେକ୍ସା ଭଳି ଦାମୀ ଓ ଲକଜୁରିୟସ ଗାଡି ବ୍ୟବହାର କରିବେ ଯାହା ୧ଲିଟର ତେଲରେ ୯ କିଲୋମିଟର ପର୍ଯ୍ୟନ୍ତ ଯାଇପାରୁଥିବ । ସେହିପରି ଜିଲ୍ଲା ଜଳ, ପ୍ରମୁଖ ସଚିବ ତଥା ସଚିବ ପାହ୍ୟାର ଅଧିକାରୀମାନେ ମାରୁତି ସିଆଜ୍ କିମ୍ବା ହୋଣ୍ଡା ସିଟି ବର୍ଗର ଗାଡ଼ି ବ୍ୟବହାର କରିପାରିବେ । ଯାହାର ସର୍ବାଧିକ ମୂଲ୍ୟ ୧୫ଲକ୍ଷ ଏବଂ ମାଇଲେଜ୍ ୧୨ କିଲୋମିଟର ପ୍ରତି ଲିଟର ରହିବ । ଏହାଛଡ଼ା ଅନ୍ୟ କୌଣସି ଗାଡ଼ି କିଣାଯାଇପାରିବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
