୨୦୨୪ସାଧାରଣ ନିର୍ବାଚନରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମାଟିରେ ମିଶାଇବୁ । ଏଭଳି ଟିପ୍ପଣୀ ଦେଇଛନ୍ତି ବିହାର ବିଜେପି ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ । ଏଭଳି ଟିପ୍ପଣୀ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ କହିଛନ୍ତି, ବିଜେପିକୁ ଯାହା କରିବାର ଅଛି କରୁ । ଯେଉଁ ଦଳ ବା ଦଳର ବ୍ୟକ୍ତି ବିଶେଷ ଏଭଳି ମନ୍ତବ୍ୟ ଦେଉଛନ୍ତି ତାଙ୍କର ଆଦୌଁ ବୁଦ୍ଧି ନାହିଁ । ଏଣୁ ଏବେଠାରୁ ବିଜେପିର ଯାହା କରିବାର ଅଛି ତୁରନ୍ତ କରିଦେଉ । ଏହାସହ ବିଜେପି ବିରୋଧରେ ମନଭରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ । ନୀତିଶ କହିଛନ୍ତି ‘ଯିଏ ଏଭଳି ମନ୍ତବ୍ୟ ଦେଉଛନ୍ତି, ଯିଏ ଏଭଳି ଶବ୍ଦ ପ୍ରୟୋଗ କରୁଛନ୍ତି ବୁଝିନିଅନ୍ତୁ ସେମାନଙ୍କ ନିକଟରେ ଆଦୌଁ ବୁଦ୍ଧି ନାହିଁ । ଯାହା ଯେତେବେଳେ ମନକୁ ଆସୁଛି କହିଯାଉଛନ୍ତି ।

ଏହାସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମିଟିଂ ସମ୍ପର୍କରେ ପଚରାଯିବାରୁ ନୀତିଶ କହିଛନ୍ତି, ବର୍ତ୍ତମାନ ସେ ବିଷୟରେ ଏବେ କିଛି କହିବାର ନାହିଁ । ଯେତେବେଳେ ସବୁକିଛି ସ୍ପଷ୍ଟ ହୋଇଯିବ ଓ ଆମେ ଆମର କାର୍ଯ୍ୟରେ ସଫଳ ହୋଇଯିବୁ ସେତେବେଳେ ଏ ସମ୍ପର୍କରେ କଥା ହେବା । ଆମେ ବର୍ତମାନ ସମସ୍ତ ବିରୋଧୀଦଳକୁ ଏକଜୁଟ କରିବାକୁ ଚେଷ୍ଟା କରୁଛୁ । ନିଜ ପାଇଁ କିଛି ବି ଚାହୁଁନାହୁଁ । ମୋର ଏଥିରେ କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନାହିଁ । ମୁଁ ଦେଶର ହିତ ଚାହୁଁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୂଚନା ମୁତାବକ ବିଜେପି ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ଗତ ଶନିବାର ପାଟନାରେ ଆୟୋଜିତ ଏକ ସଭାରେ କହିଥିଲେ, ନୀତିଶ କୁମାର ହେଉଛନ୍ତି ୧ନଂ ସ୍ୱାର୍ଥବାଦୀ ନେତା ।

ବିଜେପି ବିଧାୟକଙ୍କ କାନ୍ଧରେ ବନ୍ଧୁକ ରଖି ନୀତିଶ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ବନିଛନ୍ତି । ହେଲେ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧୋକା ଦେବାକୁ ପଛଘୁଞ୍ଚା ଦେଲେନି । ହେଲେ ମୋଦି ନିଜର କର୍ତ୍ତବ୍ୟ କରିଛନ୍ତି । ଯେତେବେଳେ ବିହାରବାସୀ ନୀତିଶଙ୍କ ବିରୋଧୀ ବନିଯାଇଥିଲେ ସେତେବେଳେ ଲୋକଙ୍କୁ ବୁଝାଇ ନୀତିଶ କୁମାରଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ବନାଇଥିଲେ । ହେଲ ଏବେ ନୀତିଶ ତାଙ୍କ ବିରୋଧରେ ଷଡଯନ୍ତ୍ର କରିବାରେ ଲାଗିପଡିଛନ୍ତି ବୋଲି କହିଥିଲେ ବିହାର ବିଜେପି ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ।
