ଉଦଘାଟିତ ହୋଇଛି ବିଜେଡ଼ିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ । ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୬ସ୍ଥିତ ଏହି ନବ ନିର୍ମିତ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜେଡ଼ି କାର୍ଯ୍ୟାଳୟ ଶଙ୍ଖ ଭବନ ଲୋକାର୍ପିତ ହୋଇଛି । ଜନସେବା, ତ୍ୟାଗ ଓ ସ୍ୱାଭିମାନର ପ୍ରତୀକ ହେବ ଶଙ୍ଖ ଭବନ । ୟୁନିଟ୍-୬ସ୍ଥିତ ଏହି ନବ ନିର୍ମିତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବଡ଼ ଶଙ୍ଖ ପ୍ରତିମୂର୍ତ୍ତି ରହିଛି । ଏଥିରେ ଶୋଭାପାଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହି ସୁଦୃଶ୍ୟ ଅଟ୍ଟାଳିକା କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ହେବ । ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟାଳୟକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି ।

ଉଦଘାଟନୀ କାର୍ଯ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ, ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଙ୍ଗଠନର ନେତୃବୃନ୍ଦ, କର୍ମୀମାନେ ଉପସ୍ଥିତ ରହିବେ । ୩ ମହଲା ବିଶିଷ୍ଟ ଏହି କୋଠାର ପ୍ରଥମ ମହଲାରେ ପ୍ରେସ୍ ଲାଉଞ୍ଜ୍ ଓ ସମ୍ମିଳନୀ କକ୍ଷ ରହିଛି । ଦେଢହଜାର ଲୋକଙ୍କ ବସିବା ଭଳି ଏକ ବଡ଼ ସମ୍ମିଳନୀ କକ୍ଷ ରହିଛି । ସେହିପରି ଦ୍ୱିତୀୟ ମହଲାରେ ବରିଷ୍ଠ ଓ ଛାମୁଆ ସଙ୍ଗଠନର କର୍ମକର୍ତ୍ତାଙ୍କ କାର୍ଯ୍ୟାଳୟ, ଏକ ଅଡିଟୋରିୟମ୍ ଥିବା ବେଳେ ତୃତୀୟ ମହଲାରେ ସଭାପତିଙ୍କ କକ୍ଷ ରହିବ ।
