କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ବର୍ଷା । ଏପରି କି ଆସନ୍ତା ୩ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱରରେ ବି ପ୍ରବଳ ବର୍ଷା ହୋଇଛି । ଶୁକ୍ରବାର ପରି ଶନିବାର ରାଜ୍ୟରେ କାଳବୈଶାଖୀ ପ୍ରଭାବରୁ ରାଜ୍ୟବ୍ୟାପୀ ଦିନରେ ତାପମାତ୍ରା କମ୍ ରହିଛି । ଶନିବାର ରାଜ୍ୟର ଏକମାତ୍ର ସହର ଭାବେ ନୂଆପଡ଼ାରେ ତାପମାତ୍ରା ୪୦ଡିଗ୍ରୀ ରହିଥିଲା । ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସହ କୁଆପଥର ବର୍ଷା ହୋଇଥିଲା । ରବିବାର ଏବଂ ସୋମବାର ୨ଟି ବଡ଼ କାଳବୈଶାଖୀ ଆସୁଥିବାରୁ ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରବିବାର ପାଇଁ ରାଜ୍ୟର ୧୮ଜିଲ୍ଲା ଓ ସୋମବାର ୨୧ଟି ଜିଲ୍ଲାକୁ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ କାଳବୈଶାଖୀ ସମ୍ଭାବନା ରହିଛି ।

ଉପରୋକ୍ତ ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ସ୍ଥଳଭାଗରେ ୪୦ରୁ ୫୦କିଲୋମିଟର ବେଗରେ ପବନ ପ୍ରବାହିତ ହୋଇପାରେ । ଢେଙ୍କାନାଳ, ବୌଦ୍ଧ, କଟକ, ଯାଜପୁଯର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟରେ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି । ସେହିପରି ୨୪ତାରିଖରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର, ବୌଦ୍ଧ, କଳାହାଣ୍ଡି ଓ କନ୍ଧମାଳରେ କୁଆପଥର ମାଡ଼ ହେବା ସହ କଟକ, ଯାଜପୁର, ଢେଙ୍କାନାଳ, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୫ ଓ ୨୬ତାରିଖରେ କାଳବୈଶାଖୀର ପ୍ରଭାବ କ୍ରମଶଃ କମିବ । ସେହିପରି ଆସନ୍ତା ୩ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା କମ୍ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
