ଆଜି ମୁସଲମାନ ସମ୍ପ୍ରଦାୟଙ୍କ ପବିତ୍ର ପର୍ବ ଇଦ୍ । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ମମତା କହିଛନ୍ତି, ଆଜି ଭଳି ପବିତ୍ର ଦିନରେ ଆମେ ସମେସ୍ତ ଶପଥ ନେବା ଦେଶରେ ଏକତା ବଜାୟ ରଖିବାକୁ ପ୍ରୟାସ କରିବା । ଦେଶକୁ କେବେ ମଧ୍ୟ ବିଭାଜିତ ହେବାକୁ ଦେବାନି । ଏହାସହ ମମତା କହିଛନ୍ତି, ମୁଁ ଶପଥ ନେଉଛି, ଜୀବନ ଦେଇଦେବି ବରଂ ଦେଶକୁ ଆଦୌଁ ବିଭାଜିତ ହେବାକୁ ଦେବିନି ।

ମମତା କୋଲକାତାର ରେଡ ରୋଡରେ ନମାଜ ପଠିବା ସହ ଆୟୋଜିତ ଏକ ସଭାରେ ଦେଶବାସୀଙ୍କୁ ଏକତ୍ରିତ ହେବାକୁ ଆହ୍ୱାନ କରିଛନ୍ତି । ସେହିପରି ମୋଦିଙ୍କୁ ଗାଦିଚ୍ୟୁତ କରିବାକୁ ସବୁ ବିରୋଧୀ ଏକାଠି ହେବାର ସମୟ ଆସିଛି ବୋଲି କହିଛନ୍ତି ମମତା । ଆମେ ସମସ୍ତେ ପଶ୍ଚିମବଙ୍ଗରେ ଶାନ୍ତି ଚାହୁଁ, ଦଙ୍ଗା ନୁହେଁ । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ ଓ ଦଳ ଆମ ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛନ୍ତି ।

ଆମେ ସେମାନଙ୍କ ଏଭଳି ଇଚ୍ଛାକୁ ଆଦୌଁ ପୂରଣ ହେବାକୁ ଦେବାନି । ଏହି ଅବସରରେ ମମତା ବିଜେପିକୁ ଦଙ୍ଗା ସୃଷ୍ଟିକାରୀ ଦଳ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନଭରି ବର୍ଷିଛନ୍ତି । ଏହି ଦଙ୍ଗା ଦଳ ବିରୋଧରେ ଏବେ ସମସ୍ତେ ଏକାଠି ହୋଇ ଲଢେଇ କରିବାର ସମୟ ଆସିଛି । ମୁଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ କେବେ ବି ଏହି ଦଳ ଆଗରେ ମୁଣ୍ଡ ନୂଆଁଇବିନି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।
