ବହୁଚର୍ଚ୍ଚିତ ୨୦୦୨ ଗୋଧ୍ରା ଟ୍ରେନ୍ ପୋଡି ମାମଲାରେ ୮ଜଣଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ହେଲେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୪ଜଣ ଦୋଷୀଙ୍କ ଭୂମିକାକୁ ଦୃଷ୍ଟିରେ ରଖି ସେମାନଙ୍କ ଜାମିନ୍ ଆବେଦନ ଖାରଜ୍ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ୮ଜଣ ଦୋଷୀଙ୍କୁ ୧୭ବର୍ଷରୁ ଅଧିକ ସମୟ ଧରି ଜେଲରେ କାଟିଥିବା ଦର୍ଶାଇ ଜାମିନ୍ ପ୍ରଦାନ କରିଛନ୍ତି ।

ଏହି ୮ଦୋଷୀ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ଏବଂ ହାଇକୋର୍ଟଙ୍କ ଆଦେଶକ୍ରମେ ସେମାନଙ୍କ ଦଣ୍ଡାଦେଶକୁ ବଜାୟ ରଖାଯାଇଛି । ନିମ୍ନ ଅଦାଲତଙ୍କ ଦ୍ୱାରା ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ଜାମିନ୍ ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ଗୁଜୁରାଟ ହାଇକୋର୍ଟ ଏହି ଦୋଷୀଙ୍କ ବିରୋଧରେ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି । ନିମ୍ନ ଅଦାଲତ ୧୧ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିବା ବେଳେ ଅନ୍ୟ ୨୦ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
