ପରିଣତ ବୟସ ସାଙ୍ଗକୁ ଭଙ୍ଗା ଗୋଡରେ ଲାଗିଛି ପ୍ଲାଷ୍ଟିକ୍ ଚେୟାର । ଏହି ଚେୟାରକୁ ଧରି ଦୀର୍ଘ ବାଟ ଚାଲି ଚାଲି ଜଣେ ବୃଦ୍ଧା ପ୍ରତିମାସ ପେନସନ୍ ନେବାକୁ ଆସୁଥିଲେ । ନ୍ୟୁଜ୍ ଏଜେନ୍ସି ବୃଦ୍ଧାଙ୍କର ଏହି ଭିଡ଼ିଓଟିକୁ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭିଡ଼ିଓଟିକୁ ଦେଖିବା ପରେ ଏନେଇ ଏସବିଆଇକୁ ତାଗିଦ୍ କରିଛନ୍ତି । ଏ ଘଟଣା କୌଣସି ବାହାର ରାଜ୍ୟର ନୁହେଁ । ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଝରିଗାଁର ଜଣେ ବୃଦ୍ଧାଙ୍କ ଭିଡ଼ିଓ ସେୟାର କରିବା ସହ ଅର୍ଥମନ୍ତ୍ରୀ ଏ ସମ୍ପର୍କରେ ଷ୍ଟେଟବ୍ୟାଙ୍କକୁ ପ୍ରଶ୍ନ କରିଛନ୍ତି ।


ନିର୍ମଳା ପଚାରିଛନ୍ତି ଏ ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ଅବଗତ ଅଛନ୍ତି କି ନାହିଁ? ମାନବିକତା ଦୃଷ୍ଟିରୁ କ’ଣ ପଦକ୍ଷେପ ନିଆଯାଇଛି । ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବଣୁଆଗୁଡ଼ାର ସୂର୍ଯ୍ୟ ହରିଜନ ପେନସନ ପାଇଁ ପ୍ଲାଷ୍ଟିକ୍ ଚେୟାରରେ ଏପରି ଯାଉଥିବାର ଦେଖିବାକୁ ମିଳିଥିଲା । ନିର୍ମଳା ସୀତାରମଣଙ୍କ ଟ୍ୱିଟ୍ ପରେ ତତ୍ପର ହୋଇଉଠିଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏହାର ଉତ୍ତରରେ ଏସବିଆଇ କହିଛି, ଝରିଗାଁରେ ଥିବା ସିଏସପି ପଏଣ୍ଟରୁ ସୂର୍ଯ୍ୟ ହରିଜନ ପେନସନ୍ ଟଙ୍କା ଉଠାଉଥିଲେ । କିନ୍ତୁ ସିଏସପି ପଏଣ୍ଟରେ ତାଙ୍କ ଫିଙ୍ଗର ପ୍ରିଣ୍ଟ୍ ମ୍ୟାଚ୍ ନକରିବାରୁ ଝରିଗାଁ ବ୍ରାଞ୍ଚକୁ ତାଙ୍କ ସମ୍ପର୍କୀୟଙ୍କ ସହ ଆସିଥିଲେ ।

