ସାବଧାନ୍ ଲସି ଦୋକାନୀ ଓ ହୋଟେଲ ମାଲିକ । ଖାଦ୍ୟର ମାନ ଯାଞ୍ଚ୍ କରିବ ଭୁବନେଶ୍ୱର ମହାନଗର ନିଗମ କର୍ପୋରେସନ୍ । ବିଏମସି ଅଞ୍ଚଳର ଖାଦ୍ୟ ସୁରକ୍ଷା ସମ୍ପର୍କିତ ଏକ ବୈଠକରେ ଏଭଳି ନିଷ୍ପତି ନିଆଯିବା ପରେ ଆଜିଠାରୁ ଆରମ୍ଭ ହୋଇଛି ଚଢାଉ । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଜନସ୍ୱାସ୍ଥ୍ୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ନଗର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୀପକ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।



ଏବେ ଗ୍ରୀଷ୍ମଋତୁ ଚାଲିଥିବା ବେଳେ ଖାଦ୍ୟ ସାମଗ୍ରୀ ବିଶେଷକରି ରନ୍ଧାଖାଦ୍ୟ, ଫାଷ୍ଟ୍ ଫୁଡ୍, ସ୍ନାକ୍ସ ଓ ମୃଦୁ ପାନୀୟ ଇତ୍ୟାଦିର ପ୍ରସ୍ତୁତି ଏବଂ ନଷ୍ଟ ହୋଇଯିବା ସମୟକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯିବା ଉଚିତ୍ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ । ଏହାସହିତ ଖାଦ୍ୟ କେତେ ସମୟ ରଖାଯାଇପାରିବ, ଖାଦ୍ୟର ଗ୍ରହଣୀୟତା, ଖାଦ୍ୟ ବାବଦୀୟ ସୂଚନା ଦୋକାନୀମାନେ କିପରି ଭାବେ ଦେଉଛନ୍ତି । ଏହାସହିତ ନାଗରିକମାନେ କିପରି ଭଲ ଭାବେ ଜାଣିପାରିବେ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ସମସ୍ତ ଜୋନରେ ବିଭିନ୍ନ ଦୋକାନକୁ ଯାଇ ଏହି ସୂଚନା ଦେବା ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ।


