ଚଳିତବର୍ଷ ଖରାଛୁଟିରୁ ପ୍ରଥମଥର ପାଇଁ ଅବକାଶକାଳୀନ ଶିକ୍ଷା ଆରମ୍ଭ ହେବ । ଚଳିତବର୍ଷ ଖରାଛୁଟି ପାଇଁ ଅଭିନବ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ । ଖରାଛୁଟିରେ ପିଲାଙ୍କ ବୁଲାବୁଲି ବନ୍ଦ । ଘରେ ବସି ପାଠ ପଢିବେ ଛାତ୍ରଛାତ୍ରୀ । ଅବକାଶକାଳୀନ ଶିକ୍ଷା ପାଇଁ ପ୍ରସ୍ତୁତି ହେଉଛି ସ୍ୱତନ୍ତ୍ର ପାଠ୍ୟକ୍ରମ । ପିଲାମାନେ ସମୟ ଅପଚୟ ନକରି ଘରେ ବସି ଭିନ୍ନ ଷ୍ଟାଇଲରେ ପାଠ୍ୟକ୍ରମ ସହ ଜଡ଼ିତ ରହିବେ । କେବଳ ପାଠ୍ୟପୁସ୍ତକ ନୁହେଁ, ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ବି ସେମାନଙ୍କ ସୃଜନଶୀଳତାକୁ ବିକଶିତ କରାଯିବ । ପୂର୍ବରୁ ଏଭଳି ଶିକ୍ଷାକୁ ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲରେ ସମର କୋର୍ସ ଭାବେ ପଢାଯାଉଥିଲା । ଏଥିପାଇଁ ସ୍କୁଲ ଆସି ଏକ୍ସଟ୍ରା କ୍ଲାସ କରୁଥିଲେ ପିଲା । ଖରାଛୁଟିରେ ପିଲାମାନଙ୍କୁ ରାଜ୍ୟ ସରକାର ଘରେ ବସାଇ ପାଠ ପଢାଇବାକୁ ନେଇଛନ୍ତି ନିଷ୍ପତ୍ତି । କ୍ଲାସର ପ୍ରତି ୧୦ରୁ ୧୫ଜଣ ଲେଖାଏଁ ପିଲାଙ୍କୁ ନେଇ ଗ୍ରୁପ୍ କରାଯାଇଥିବା ବେଳେ ପ୍ରତି ଗ୍ରୁପର ମେଣ୍ଟର ଭାବେ ଜଣେ ଲେଖାଏଁ ଶିକ୍ଷକଙ୍କୁ ଦାୟୀତ୍ୱ ଦେଇଛି ଗଣଶିକ୍ଷା ବିଭାଗ । ପାଠ୍ୟକ୍ରମ ଅନୁସାରେ ପିଲାମାନେ କେତେ ପାଠ ପଢୁଛନ୍ତି, ଫୋନ୍ ଯୋଗେ ଅଭିଭାବକମାନଙ୍କଠାରୁ ଫିଡବ୍ୟାକ୍ ନିଆଯିବ । ସେହି ଢାଞ୍ଚାରେ ମଧ୍ୟ ପିଲାଙ୍କ ଆସେସମେଣ୍ଟ୍ କରାଯିବ । ଏହାର ତଦାରଖ କରିବାକୁ ବ୍ଲକ୍ ଓ ଜିଲ୍ଲା ଶିକ୍ଷାଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।



