ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଝାଞ୍ଜିପବନ । ଦିନ ୯ଟା ବାଜିଲେ ଘରୁ ବାହାରିବା ମୁସ୍କିଲ । ଲାଗୁଛି ଆକାଶରୁ ନିଆଁ ଝରୁଛି । ଖାଲି ପାଦରେ ରାସ୍ତାରେ ଚାଲିବା ମୁସ୍କିଲ୍ । ଆଜି ବି ତତଲା କଢେଇରେ ସିଝିଛି ସମଗ୍ର ଓଡ଼ିଶା । ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲେ ବି ପଶ୍ଚିମ ଓଡ଼ିଶାରେ କିନ୍ତୁ ପୂର୍ବଭଳି ନିଆଁ ବର୍ଷୁଛି । ଆଜି ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ଆଜି ଦିନ ୨ଟା ୩୦ସୁଦ୍ଧା ତାପମାତ୍ରା ୪୨.୨ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ସମ୍ବଲପୁର ବ୍ୟତୀତ ହୀରାକୁଦ ଓ ଝାରସୁଗୁଡାରେ ମଧ୍ୟ ପ୍ରବଳ ଖରା ଅନୁଭୂତ ହୋଇଛି । ଝାରସୁଗୁଡାରେ ତାପମାତ୍ରା ୪୧.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।






