ଉତ୍ତରପ୍ରଦେଶରେ ରାସ୍ତା ଜନଶୂନ୍ୟ । ସବୁଠି ଖେଳିଯାଇଛି ଚାଞ୍ଚଲ୍ୟ । ଏବେ ରାଜ୍ୟର ମାଫିଆ ଓ କୁଖ୍ୟାତ ଅପରାଧୀଙ୍କ ମନରେ ଭୟ ଓ ଆଶଙ୍କା । କାରଣ ଗତକାଲି ବିଳମ୍ବିତ ରାତିରେ ପୋଲିସ ଓ ମିଡିଆ ଉପସ୍ଥିତିରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଓ ଭାଇ ଅସରଫକୁ ଗୁଳିକରି ହତ୍ୟା କରାଯାଇଛି । ସାମ୍ବାଦିକ ବେଶରେ ଆସି ଦୁଇଭାଇଙ୍କୁ ହତ୍ୟା କରିଛନ୍ତି ୨ଅଜଣା ଦୁର୍ବୁତ୍ତ । ଖାସ୍ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁପିରେ ଜାରି ହୋଇଛି ହାଇଆଲର୍ଟ । ସମଗ୍ର ୟୁପିରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ ପ୍ରୟାଗରାଜରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଛନ୍ତି ୟୁପି ସରକାର । ସୂଚନା ମୁତାବକ ଗତକାଲି ରାତି ସାଢେ ୧୦ଟା ବେଳେ ପ୍ରୟାଗରାଜ ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ଦୁଇ ଭାଇ ଅତିକ୍ ଅହମ୍ମଦ ଓ ଅସରଫ୍ ଅହମ୍ମଦକୁ ଗୁଳିକରି ହତ୍ୟା କରିଥିଲେ ୩ ସୁଟର । ହତ୍ୟାକାଣ୍ଡର ମାତ୍ର ଘଣ୍ଟାଏ ଭିତରେ ଦୁଇଅଭିଯୁକ୍ତଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି ପୋଲିସ । ଉଭୟଙ୍କୁ ପଚରାଉଚରା ବେଳେ ସେମାନେ କେବଳ ଏହି ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା କରିବାକୁ ଆସିଥିବା କଥା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ଗୁଳିକାଣ୍ଡରେ ଅତିକ୍ ବ୍ରଦର୍ସଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ସାମ୍ବାଦିକ ଓ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ୨ରୁ ୩ଜଣ ଲୋକ ଅତିକ୍ ଓ ଅସରଫ୍ ଉପରକୁ ଗୁଳିମାଡ଼ କରିଥିଲେ ।




