ସିବିଆଇ ଦ୍ୱାରା ହିଁ ଦେଶକୁ ଦୁର୍ନୀତିମୁକ୍ତ କରାଯିବ । ଦୁର୍ନୀତି ଯୋଗୁଁ ଲୋକେ ଉପଯୁକ୍ତ ନ୍ୟାୟ ପାଇବାକୁ ବଞ୍ଚିତ ହେଉଛନ୍ତି । ଦୁର୍ନୀତି ଦେଶର ଗଣତନ୍ତ୍ର ପାଇଁ ବଡ଼ ପ୍ରତିବନ୍ଧକ ସାବ୍ୟସ୍ତ ହୋଇଛି । ତେଣୁ ଦେଶକୁ ଦୁର୍ନୀତିମୁକ୍ତ କରିବା ସହ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାର ଦାୟୀତ୍ୱ ସିବିଆଇ ଉପରେ ନ୍ୟସ୍ତ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସିବିଆଇ ପ୍ରତିଷ୍ଠାର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେଇ ମୋଦୀ କହିଛନ୍ତି, ସିବିଆଇ ଏବେ ନ୍ୟାୟ ଓ ସତ୍ୟର ଚିହ୍ନ ପାଲଟିଛି । ଏହା ସାଧାରଣଲୋକଙ୍କୁ ଆଶା ଓ ଶକ୍ତି ଦେଉଛି । ସିବିଆଇ ଭଳି ଦକ୍ଷ ଓ ପ୍ରଭାବଶାଳୀ ତଦନ୍ତକାରୀ ଏଜେନ୍ସି ବିନା ଦେଶ ଆଗକୁ ବଢିପାରିବନି । ବ୍ୟାଙ୍କ ଠକେଇଠାରୁ ଆରମ୍ଭ କରି ବନ୍ୟପ୍ରାଣୀ ସମ୍ପର୍କିତ ଜାଲିଆତି ସବୁ କ୍ଷେତ୍ରରେ ସିବିଆଇ ଦୁର୍ନୀତିର ପରଦା ହଟାଇବାରେ ସଫଳ ହୋଇଆସିଛି । ଦୁର୍ନୀତି ଯୋଗୁଁ ସାଧାରଣ ଗରିବଟିଏ ନିଜର ଅଧିକାର ଓ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥାଏ ।


