ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୩ ଜଣ ବରିଷ୍ଠ ନେତାଙ୍କୁ ଝାରସୁଗୁଡା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି । ସେହି ୩ ବରିଷ୍ଠ ନେତା ହେଲେ ଦେବୀ ପ୍ରସାଦ ମିଶ୍ର, ପ୍ରଶନ୍ନ ଆଚାର୍ଯ୍ୟ ଓ ସାରଦା ପ୍ରସାଦ ନାୟକ।
ସୂଚନା ଅନୁସାରେ, ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ଏବଂ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ସେଥିପାଇଁ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଆସନ୍ତା ଏପ୍ରିଲ ୧୩ ତାରିଖରେ ଉପନିର୍ବାଚନ ସଂକ୍ରାନ୍ତ ନୋଟିଫିକେସନ୍ ପ୍ରକାଶ ପାଇବ। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଏବଂ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୪ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହୋଇଥିବା ବେଳେ ମେ’ ୧୦ ତାରିଖରେ ଭୋଟିଂ ହୋଇ ୧୩ରେ ଫଳାଫଳ ପ୍ରକାଶ ପାଇବ। ମେ ୧୫ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।