ପବିତ୍ର ରାମନବମୀ ଅବସରରେ ଦେଶର ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ହିଂସାକାଣ୍ଡ । ଗୁଜୁରାଟ, ବିହାର, ପଶ୍ଚିମବଙ୍ଗ, ଉତରପ୍ରଦେଶ ଓ ମହାରାଷ୍ଟ୍ରରେ ଏବେ ବି ହିଂସାକାଣ୍ଡ ଜାରି ରହିଛି । ବିଶେଷକରି ଏହି ୫ଟି ରାଜ୍ୟରେ ହିଂସାକାଣ୍ଡ ଘଟିଥିବା ବେଳେ ସବୁଠାରୁ ଉଗ୍ରରୂପ ନେଇଛି ପଶ୍ଚିମବଙ୍ଗ । ଏଠାରେ ରାମନବମୀ ଶୋଭାଯାତ୍ରା ବେଳେ ଉପୁଜିଥିବା ହିଂସାକାଣ୍ଡ ଥମିବାର ନାଁ ନେଉନି ।


ପରିସ୍ଥିତି ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି । ଏପରି କି ପଶ୍ଚିମବଙ୍ଗର ହାୱଡାରେ ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରାଯାଥିବା ବେଳେ ଆଜି ମଧ୍ୟ ସହରର କିଛି ସ୍ଥାନରେ ପଥରମାଡ ଜାରି ରହିଛି । ହିଂସାକାଣ୍ଡ ଘଟିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରିବା ସହ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି । ସହରର ସାହିବପୁର, ସନ୍ତରାଗାଛି, ଦାସନଗର, ସାଲକିଆ, ମଲିପାନଛୋଗରା ଆଦି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା କହିଛନ୍ତି ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟ୍ । ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାର ତଦନ୍ତ ଦାୟୀତ୍ୱ ସିବିଆଇକୁ ଦେଇଛନ୍ତି ।

