କୋଟିଆର ସବୁ ଗାଁ ଓଡ଼ିଶାର । ସୂର୍ଯ୍ୟ, ଚନ୍ଦ୍ର, ପାଣି ଓ ପବନ ଭଳି ଏହା ଧ୍ରୁବ ସତ୍ୟ ବୋଲି ଶନିବାର କୋରାପୁଟ ଜିଲ୍ଲାର କୋଟିଆ ଗସ୍ତ କରି ସେଠାକାର ଜନସାଧାରଣଙ୍କୁ ଭେଟିବା ସହ ‘ଉତ୍କଳ ଦିବସ’ ପାଳନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋଟିଆର ଫାଟୁସିନେରି ଗାଁ ସମେତ ଅଞ୍ଚଳରେ ଥିବା ସ୍କୁଲ, ସ୍ୱାସ୍ଥ୍ୟ କେନ୍ଦ୍ର, ପୋଷ୍ଟ ଅଫିସ, ବ୍ୟାଙ୍କ୍, ଆଦିମ ଗୁରୁକୁଳ ଆଶ୍ରମ, ମନ୍ଦିର ସମେତ ବିଭିନ୍ନ ସ୍ଥାନ ବୁଲିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କୋଟିଆ ଓ ଫାଟୁସିନେରି ଗ୍ରାମବାସୀଙ୍କ ସହ ‘ଉତ୍କଳ ଦିବସ’ ଦିବସ ପାଳନ କରିଥିଲେ|
କୋଟିଆ ଗ୍ରାମ ସମିତି ଦ୍ୱାରା ଆୟୋଜିତ ‘ଉତ୍କଳ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏପ୍ରିଲ ୧, ୨୦୨୩ ମୋ ପାଇଁ ଅବିସ୍ମରଣୀୟ ଦିନ । ଆଜିର ଦିନ ବାଦ ବିବାଦର ଦିନ ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ଏକାଠି ହେବାର ଦିନ । ଉତ୍କଳ ଦିବସ ପରି ଦିନରେ ରଥଯାତ୍ରାରେ ମହାପ୍ରଭୁଙ୍କ ରଥ ଟାଣିବା ଭଳି ସମସ୍ତେ ଏକାଠି ହେବାର ଦିନ । ଆନ୍ଧ୍ର ଯଦି ଆମର ମାଟି ମାଆ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ଲୋଲୁପ ଦୃଷ୍ଟି ପକାଇବାକୁ ଚାହିଁବ ତେବେ ଆମେ ଆମେ ଏହାର ବିରୋଧ କରିବା । ସ୍ୱତନ୍ତ୍ର ପ୍ରଦେଶ ଗଠନର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ଅନେକ ମହାପୁରୁଷଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବା ନାହିଁ ।
ସୂଚନାଯୋଗ୍ୟ, ଶ୍ରୀ ପ୍ରଧାନ କୋଟିଆ ଗ୍ରାମ ପଞ୍ଚାୟତର ଫାଟୁସିନେରି ଗସ୍ତ କରିବା ସହ ସାଧାରଣ ନାଗରିକଙ୍କ ସହ ମୌଳିକ ସମସ୍ୟା ନେଇ ଆଲୋଚନା କରିଥିଲେ । ସେମିଳିଗୁଡା ବ୍ଲକ କୁନ୍ଦୁଲି ସ୍ଥିତ ଆଦିମ ଗୁରୁକୁଳ ଆଶ୍ରମ ଏବଂ କୋଟିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ ।ଏହି ଗସ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବ୍ରହ୍ମଗିରି ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବଡସାହୀ ବିଧାୟକ ସନାତନ ବିଜୁଳି ଏବଂ ଧାମନଗରର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ସାମିଲ ହୋଇଥିଲେ ।