ଓଡ଼ିଶାରେ ମାଟ୍ରିକ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ୩ଟି ବିଷୟରେ ଦୁର୍ବଳ । ବିଶେଷକରି ଗଣିତ, ଇଂରାଜୀ ଓ ସାଧାରଣଜ୍ଞାନରେ ସେମାନଙ୍କର ଦୁର୍ବଳତା ଥିବା ସ୍ପଷ୍ଟ ଜଣାପଡୁଛି । ପ୍ରତିବର୍ଷ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ତ ପୂରଣ କରୁଛନ୍ତି ହେଲେ ପରୀକ୍ଷା ଦେବାକୁ ଆସୁନାହାନ୍ତି । ଗତ ୫ବର୍ଷରେ ୮୨ହଜାର ୭୫୯ଛାତ୍ରଛାତ୍ରୀ ଫର୍ମପୂରଣ କରି ମଧ୍ୟ ମାଟ୍ରିକ୍ ପରୀକ୍ଷା ଦେଇନାହାନ୍ତି ।
ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତରରେ ଏଭଳି ତଥ୍ୟ ରଖିଛନ୍ତି ମନ୍ତ୍ରୀ । ତଥ୍ୟ ମୁତାବକ ଗତ ୨୦୨୨ରେ ୪୪ହଜାର ୨୪୫ଜଣ ପିଲା ଫର୍ମ ପୂରଣ କରିଥିଲେ ହେଲେ ପରୀକ୍ଷା ଦେବାକୁ ଆସିନଥିଲେ । ସେହିବର୍ଷ ୫ଲକ୍ଷ ୬୭ହଜାର ୭୫୩ଜଣ ଫର୍ମ ପୂରଣ କରିଥିବା ବେଳେ ପରୀକ୍ଷା ଦେଇଥିଲେ ୫ଲକ୍ଷ ୨୩ହଜାର ୫୦୮ଜଣ ଛାତ୍ରଛାତ୍ରୀ । ସେହିପରି ୨୦୨୧ରେ ୫ଲକ୍ଷ ୭୪ହଜାର ୧୨୫ଜଣ ଫର୍ମପୂରଣ କରିଥିଲେ । ହେଲେ ପରୀକ୍ଷା ଦେବାକୁ ଆସିଥିଲେ ୫ଲକ୍ଷ ୬୯ହଜାର ୭୧୩ଜଣ ପରୀକ୍ଷାର୍ଥୀ ।
ଅଧିକ ପଢନ୍ତୁ
ଉକ୍ତ ବର୍ଷ ୪ହଜାର ୪୧୨ଜଣ ପିଲା ପରୀକ୍ଷାରୁ ଦୂରେଇ ରହିଥିଲେ । ଏହାସହ ୨୦୨୦ରେ ମଧ୍ୟ ୧୧ହଜାର ୬୪୫ଜଣ ପିଲା ଫର୍ମ ପୂରଣ ସତ୍ୱେ ପରୀକ୍ଷା ଦେଇନଥିବା ମନ୍ତ୍ରୀ ବିଧାନସଭାରେ ଉତର ରଖିଛନ୍ତି । ସେହିପରି ୨୦୧୯ରେ ୯ହଜାର ୫୦୨ ଏବଂ ୨୦୧୮ରେ ୧୨ହଜାର ୯୫୫ଜଣ ପିଲା ପରୀକ୍ଷାରେ ଅନୁପସ୍ଥିତ ଥିଲେ । କରୋନା ମହାମାରୀ ହିଁ ପରୀକ୍ଷାରେ ପିଲାଙ୍କ ଅନୁପସ୍ଥିତିର ମୁଖ୍ୟକାରଣ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ । ଘରକୁ ଘର ଅଭିଯାନ, ସ୍ୱତନ୍ତ୍ର ପାଠପଢା, କ୍ଲବ୍ ସିଷ୍ଟମ୍ ଏବଂ ହାଉସ ସିଷ୍ଟମ୍ ଦ୍ୱାରା ଅଭିଭାବକଙ୍କ ମଧ୍ୟରେ ସଚେତନତା ବଢାଇବା ଜରୁରୀ ହୋଇପଡ଼ିଛି ।
ଆହୁରି ପଢନ୍ତୁ