ପ୍ରଭୁ ଶ୍ରୀରାମଚନ୍ଦ୍ର ତ୍ରେତୟା ଯୁଗରେ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଜନ୍ମଗ୍ରହଣ କରିଥିଲେ । ରାମଚନ୍ଦ୍ରଙ୍କ ଜନ୍ମଦିନକୁ ସମଗ୍ର ଭାରତବର୍ଷରେ ଶ୍ରୀରାମ ନବମୀ ରୂପେ ପାଳନ କରାଯାଇଥାଏ । ରାମଚନ୍ଦ୍ରଙ୍କୁ ଜଣେ ପିତୃଭକ୍ତ, ଭାତୃବତ୍ସଳ, ପରାକ୍ରମୀ, ମର୍ଯ୍ୟଦା ପୁରୁଷ ରୂପେ ହିନ୍ଦ୍ୁ ଧର୍ମରେ ପୂଜା କରାଯାଇଥାଏ ।
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ। ଏହିଦିନ ପୁନର୍ବସୁ ନକ୍ଷତ୍ର ଏବଂ କର୍କଟ ଲଗ୍ନରେ ଭଗବାନ ରାମଙ୍କର ଜନ୍ମ ହୋଇଥିଲା। ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ। ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ରାଜାଙ୍କର ବଡ଼ଦୁଃଖ ଥିଲା ଯେ, ତାଙ୍କର କୌଣସି ସନ୍ତାନ ନ ଥିଲେ। କୁଳଗୁରୁ ବଶିଷ୍ଠ ସନ୍ତାନ ପ୍ରାପ୍ତି ନିମନ୍ତେ ଋଷ୍ୟଶୃଙ୍ଗଙ୍କ ଦ୍ୱାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ ଦଶରଥଙ୍କୁ ଉପଦେଶ ଦେଲେ। ଜା କୁଳଗୁରୁଙ୍କ ଉପଦେଶ ଅନୁସାରେ ମହାନ୍ ଋଷି ଋଷ୍ୟଶୃଙ୍ଗଙ୍କୁ ଅଯୋଧ୍ୟାରେ ଯଜ୍ଞ କରିବାକୁ ତାଙ୍କ ଆଶ୍ରମକୁ ଯାଇ ପ୍ରାର୍ଥନା କଲେ।
ବଶିଷ୍ଠ ଓ ଋଷ୍ୟଶୃଙ୍ଗଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ । ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟ ଅଧା ଭାଗକୁ କୈକେଇଙ୍କୁ ପ୍ରଦାନ କଲେ। କୌଶଲ୍ୟା ଓ କୈକେୟୀ ନିଜ ନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ । ପବିତ୍ର ଚୈତ୍ର ନବମୀ ଦିନ ଦ୍ୱିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ। ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ସ୍ୱଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷସମାନଙ୍କୁ ସଂହାର କରିବାକୁ ପୃଥିବୀପୃଷ୍ଠରେ ଅବତରଣ କରିଥିଲେ ।
ରାମନବମୀ ଅବସରରେ ଚଳଚଞ୍ଚଳ ହୋଇଛି ସାରା ଭାରତ । ପ୍ରତ୍ୟକ ରାମମନ୍ଦିରେ ଜମୁଛି ଭକ୍ତଙ୍କ ସମାଗମ । ରାମଙ୍କ ପୂଜାଅର୍ଚ୍ଚନା ସହିତ ବ୍ରତଧାମୀମାନେ ଉପବାସ ମଧ୍ୟ ରହିଛନ୍ତି । ବିଭିନ୍ନ ମନ୍ଦିର ପକ୍ଷରୁ ରାମ ନବମୀ ଅବସରରେ ଶୋଭାଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି ।