ବାଜିଛି ନିର୍ବାଚନୀ ବିଗୁଲ । ଆଜି କର୍ଣ୍ଣାଟକ ସମେତ ଅନ୍ୟାନ୍ୟ ରାଜ୍ୟର ବିଧାନସଭା ତାରିଖ ଘୋଷଣା ହୋଇଛି । ସେହିପରି ଓଡ଼ିଶାର ଝାରସୁଗୁଡାର ଝାରସୁଗୁଡାରେ ମଧ୍ୟ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ ଆଜି ମେ’ ୧୦ତାରିଖରେ ଝାରସୁୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିବା ବେଳେ ଜୋର ଧରିଛି ସ୍ଥାନୀୟ ରାଜନୀତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ହେବାକୁ ଯାଉଛି ଉପନିର୍ବାଚନ ।
ମାତ୍ର ଗୋଟିଏ ବର୍ଷ ପାଇଁ ବିଧାୟକ ନିର୍ବାଚିତ ହେବାକୁ ଥିବା ବେଳେ ତଥାପି ହେବ କଡା ଟକ୍କର । ବିଜେଡ଼ିରୁ ଦିବଙ୍ଗତ ନେତା ନବଙ୍କ ଝିଅ ଦୀପାଳି ଦାସ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ ସେ ନେଇ ଏଯାବତ୍ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିନି । ସେହିପରି ଏବେ ରାଜ୍ୟ ବିଜେପିର ମଙ୍ଗ ଧରିଥିବା ମନମୋହନ ସାମଲ ଜଣେ ଦକ୍ଷ ସଙ୍ଗଠକ ଭାବେ ବେଶ୍ ଜଣାଶୁଣା । ତେଣୁ ସେ ବି ଏଠାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହ ଝାରସୁଗୁଡା ଆସନ ଅକ୍ତିଆର କରିବାକୁ ଜୋରଦାର ପ୍ରୟାସ କରିବେ ବୋଲି ବିଜେପି ମହଲରେ ଆଲୋଚନା ଜୋର ଧରିଛି । ଗତଥର ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ ହୋଇଥିଲେ ଦୀନେଶ କୁମାର ଜୈନ । ହେଲେ ତାଙ୍କୁ ୪୫ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ନବ କିଶୋର ଦାସ ।
ସୂଚନା ମୁତାବକ ନବଙ୍କ ଦେହାନ୍ତ ପରେ ଝିଅ ଦୀପାଳୀ ଦାସ ଅଘୋଷିତ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଲେଣି । ମହିଳା ଦିବସ ପାଳନ, ଲଇକେରା ମିନି ଷ୍ଟାଡିୟମ ଓ ଝାରସୁଗୁଡା କଂଟାପାଲି ଖେଳପଡ଼ିଆରେ ବିରାଟ ସମାବେଶରୁ ପ୍ରଚାର କଥା ସ୍ପଷ୍ଟ ବାରି ହୋଇପଡୁଛି । ସମାବେଶରେ ହଜାର ହଜାର ମହିଳା ସାମିଲ ହୋଇଥିଲେ । ଏପରି କି ସେଠାରେ ଏକ ରୋଚକ ଦୃଶ୍ୟ ବି ଦେଖିବାକୁ ମିଳିଥିଲା । କାରଣ ଏହି ସଭାରେ ସାମିଲ ହୋଇଥିଲେ ନବଙ୍କ ବାହୂ ଚାର୍ଭି । ନବ ଦାସଙ୍କ ବୋହୂ ଓ ବିଶାଲ ଦାସଙ୍କ ପତ୍ନୀ ଚାର୍ଭି ଦାସ ମଧ୍ୟ ସେଥିରେ ଯୋଗଦେଇଥିଲେ । ପୂର୍ବରୁ କେବେ ଗଣମାଧ୍ୟମ ସାମ୍ନାକୁ ଆସିନଥିବା ନବ ଦାସଙ୍କ ବୋହୂ ଓ ଦୀପାଳୀ ଗଣମାଧ୍ୟମ ସାମ୍ନାକୁ ବାରମ୍ବାର ଆସିଛନ୍ତି । ଏପରି କି ଉଭୟଙ୍କୁ ଏକାମଂଚରେ ବି ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ
ଦୀପାଳୀ ଝାରସୁଗୁଡା ମାଟିର ମଙ୍ଗ ଧରିବେ ବୋଲି ତାଙ୍କ ବାପା ସ୍ୱପ୍ନ ଦେଖୁଥିଲେ ବୋଲି କହିଥିଲେ ନବଙ୍କ ବୋହୂ । ସେଥିପାଇଁ ବାପାଙ୍କ ଇଚ୍ଛା ପୂରଣ ହେଉ ବୋଲି ପୂର୍ବରୁ କହିଥିଲେ ଚାର୍ଭି । ସେପଟେ ଦୀପାଳି ହିଁ ବିଜେଡ଼ିରୁ ଝାରସୁଗୁଡା ପ୍ରାର୍ଥୀ ହେବେ ବେଲେି ଏକ ପ୍ରକାର ନିଶ୍ଚିତ ହୋଇସାରିଲାଣି । ୨୦୧୯ ନିର୍ବାଚନରେ ଶାସକ ବିଜେଡ଼ି ବଡ଼ ବ୍ୟବଧାନରେ ଜିତିବ ବୋଲି ବିଜେଡ଼ି ନେତା ଭୂପିନ୍ଦର ସିଂ କହିଛନ୍ତି । ପୂର୍ବ ନିର୍ବାଚନ ଟାଣୁଆ ନେତା ତଥା ଦୃଢ ସଙ୍ଗଠକ ସ୍ୱର୍ଗତ ନବ କିଶୋର ଦାସ ବିଜୟ ହାସଲ କରିଥିଲେ । ତାଙ୍କ ଅବର୍ତମାନରେ ହେଉଥିବା ଏହି ଉପନିର୍ବାଚନରେ ଝାରସୁଗୁଡାବାସୀ ପୁଣିଥରେ ବିଜେଡିକୁ ହିଁ ଭୋଟ୍ ଦେବେ ବୋଲି ବିଜେଡ଼ି ନେତା କହୁଛନ୍ତି । ଏପରିକ୍ଷେତ୍ରରେ ନବଙ୍କ ମୃତ୍ୟୁକୁ ଏଯାବତ୍ ୨ମାସ ବିତି ଯାଇଥିଲେ ବି ଏଯାବତ୍ ମୁଖ୍ୟ ଆସାମୀ ଧରାପଡିନି ବୋଲି କହି ବାରମ୍ବାର ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ସୂଚନା ମୁତାବକ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ଏବେ ୧ଲକ୍ଷ ୯୭ହଜାରରୁ ଅଧିକ ଭୋଟର ଅଛନ୍ତି ।
ଆହୁରି ପଢନ୍ତୁ