ଏଣିକି ବିନା ଅନୁମତିରେ ବାଜିପାରିବନି ଡିଜେ । ଓଡ଼ିଶାର ସବୁ ଜିଲ୍ଲା ଏସପିମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଯଦି କେହି ୬୫ଡେସିବଲରୁ ଅଧିକ ସାଉଣ୍ଡ୍ ବଜାଉଛନ୍ତି ତେବେ ସେମାନଙ୍କ ଗାଡି ଜବତ କର ବୋଲି କହିଛନ୍ତି ଡିଜି ସୁନୀଲ ବଂଶଲ ।
ରାଜ୍ୟର ସହରାଂଚଳରେ କଡା କଟକଣା ଲାଗୁ କରାଯାଇଥିବା ବେଳେ ଗାଁରେ କିନ୍ତୁ କିଛି ନାହିଁ । ଲୋକ ମନଇଚ୍ଛା ସାଉଣ୍ଡରେ ଡିଜେ ବଜାଉଛନ୍ତି । ବାହାଘର, ବ୍ରତଘର, ପୂଜା, ଭସାଣୀ ଓ ଶୋଭାଯାତ୍ରାରେ ଅତି ଭୟଙ୍କର ଓ ବିକଟାଳ ଶବ୍ଦ କରି ଡିଜେ ବଜାଉଛନ୍ତି ଲୋକେ । ଅତି ଉଚ୍ଚ ସାଉଣ୍ଡ ପାଇଁ ଲୋକଙ୍କ ଜୀବନ ବି ବିପଦରେ ପଡୁଛି । ବିଶେଷକରି ହାର୍ଟରୋଗୀମାନେ ଏହାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେଉଥିବା ଦେଖାଯାଉଛି । ବିଧାନସଭାରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଏହି ପ୍ରସଙ୍ଗ ଉଠାଇବା ସହ ଏନେଇ ସ୍ୱତନ୍ତ୍ର ଆଇନ ଆଣିବାକୁ ଦାବି କରିଛନ୍ତି ।
ଅଧିକ ପଢନ୍ତୁ
ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ ପୋଲିସ ତତ୍ପର ହୋଇଉଠିବା ସହ ଡିଜିପି ସବୁ ଜିଲ୍ଲା ଏସପିମାନଙ୍କୁ ଏନେଇ ଚିଠି ଲେଖିଛନ୍ତି । ଏଣିକି ନିର୍ଦ୍ଧାରିତ ୬୫ଡେସିିବଲରୁ ଅଧିକ ଉଚ୍ଚରେ ବାଜିଲେ ଗାଡି ଜବତ ହେବା ସହ ମାମଲା ମଧ୍ୟ ରୁଜୁ ହେବ । ଏନେଇ ରାଜ୍ୟର ସବୁ ଥାନା ଅଧିକାରୀ ଏବଂ ସ୍ପେଶାଲ ଟିମକୁ ନିୟମିତ ଚଢଉ କରିବାକୁ ମିଳିଛି ନିର୍ଦ୍ଦେଶ । ସୁପ୍ରିମକୋର୍ଟରେ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ କହିଛନ୍ତି ଡିଜିପି ସୁନୀଲ ବଂଶଲ ।
ଆହୁରି ପଢନ୍ତୁ