ପୁଣି ଦେଶରେ କରୋନାର ସତର୍କ ଘଂଟି । ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି କୋଭିଡ୍ ପଜିଟିଭ୍ ମାମଲା । ଏଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସତର୍କତା ଜାରି କରାଯାଇଛି । ସବୁ ହସ୍ପିଟାଲରେ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାର୍ଥ ନିର୍ଦ୍ଦେଶକ । ଏନେଇ ରାଜ୍ୟ ବିଭିନ୍ନ ମେଡିକାଲ କଲେଜ ଅଧିକ୍ଷକ, ସିଡିଏମଓଙ୍କୁ ଲେଖାଯାଇଛି ।
କଟକର ଏସସିବି ମେଡିକାଲ କଲେଜ, ବ୍ରହ୍ମପୁରର ଏମକେସିଜି, ବୁର୍ଲାର ଭୀମସାର, କୋରାପୁଟର ଏସଏଲଏନ ମେଡିକାଲରେ ୨୦ଟି ଲେଖାଏଁ ଏବଂ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ଟି ଲେଖାଏଁ ଶଯ୍ୟା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ରୋଗୀଙ୍କ ପାଇଁ ଅତିକମରେ ୨ଟି ଆଇସିୟୁ ବେଡ୍ ସହିତ ୨୦ଟି ଶଯ୍ୟା ପ୍ରସ୍ତୁତ ରଖିବାକୁ କୁହାଯାଇଛି ।
ସେହିପରି ସମସ୍ତ ଡିଏଚଏଚ ଏବଂ ଏକତ୍ରିତ ମେଡିକାଲ କଲେଜଗୁଡିକ ଅତିକମରେ ୧୦ଟି ଶଯ୍ୟାକୁ ପୃଥକ କୋଭିଡ୍ ଭାବେ ପ୍ରସ୍ତୁତ ରଖିବାକୁ ମିଳିଛି ନିର୍ଦ୍ଦେଶ । ସେହିପରି ଆଗକୁ ଯଦି ଅଧିକ ବେଡର ଆବଶ୍ୟକତା ପଡେ ତେବେ ଷ୍ଟାଣ୍ଡବାଇରେ ବେଡ୍ ସହ ବିଭିନ୍ନ ସୁବିଧା ରଖିବାକୁ ବି କହିଛନ୍ତି ଜନସ୍ୱାର୍ଥ ନିର୍ଦ୍ଦେଶକ ।
ଏହାସହ ସଠିକ୍ ଭାବେ ଭିତିଭୂମି ଥିବା ସମସ୍ତ ସିଏଚସିକୁ ୬ଟି ଶଯ୍ୟା ଚିହ୍ନଟ କରି ରଖିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟର କୋଭିଡ୍ ସ୍ଥିତି ସେତେଟା ଚିନ୍ତାଜନକ ନଥିଲେ ବି ଦେଶରେ ବୃଦ୍ଧି ପାଉଥିବା ସଙ୍କ୍ରମଣକୁ ଦେଖି ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।